କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ ଚଳାଚଳ । ପୁରୀଠାରେ ବସିଥିବା ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ବସ ଚଳାଚଳ କରୁନଥିବାରୁ ସାରା ରାଜ୍ୟରେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ତେବେ ଏଥିପାଇଁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ସଂଘ ଅପିଲ କରିଛି । ସେପଟେ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବ ନାହିଁ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଚାରି ଦିନ ଧରି ଧର୍ମଘଟ ଯୋଗୁଁ କ୍ଷତି ସହୁଛନ୍ତି ବସ୍ ମାଲିକ । ହଜାର ହଜାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେଣୁ ଡ୍ରାଇଭର ମହାସଂଘର ଷ୍ଚିୟରିଂ ଛାଡ଼ ଆନ୍ଦୋଳନକୁ ଆଉ ସମର୍ଥନ ଦିଆଯିବ ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛନ୍ତି । ତେଣୁ ଆଜିଠୁ ଘରୋଇ ବସ୍ ଚଳାଚଳ ସେବା ସ୍ବାଭାବିକ ହେବ ବୋଲି ସ୍ପଷ୍ଟ ହୋଇଛି ।

Advertisment

ପଞ୍ଚମ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘର ନିଜ ଦାବିରେ ଅଟଳ ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସିଧାସିଧା କହିଛି ମହାସଂଘ । ଅନ୍ୟପଟେ ଏବେ  ବିବାଦରେ ଚାଳକ ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଓଡ଼ିଶା ଡ୍ରାଇଭର ମହାସଂଘ ବିରୋଧରେ ଥାନାରେ ଫେରାଦ ହୋଇଛି ନିଖିଳ ଓଡ଼ିଶା ମିନିଟ୍ରକ୍ ମାଲିକ ମହାସଂଘ । ଧାରଣା ନାମରେ ଓଡ଼ିଶା ଡ୍ରାଇଭର ମହାସଂଘ ଗୁଣ୍ଡାରାଜ କରୁଥିବା ଅଭିଯୋଗ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିବା ଗାଡ଼ିଗୁଡ଼ିକୁ ଚାଳକମାନେ ନଛାଡ଼ିବା ସହ ସେମାନଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ରାଜ୍ୟ ଘରୋଇ ବସ ମାଲିକ ସଂଘ କିନ୍ତୁ ଡ୍ରାଇଭର ସଂଘର ଆନ୍ଦୋଳକୁ ସମର୍ଥନ ନକରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ଘରୋଇ ବସ୍ ସେବା ଚଳାଚଳ ସ୍ବାଭାବିକ ହେଲେ ଧର୍ମଘଟର କୌଣସି ପ୍ରଭାବ ରହିବ ନାହିଁ । ଅନ୍ୟପକ୍ଷରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ବିଭିନ୍ନ ମହଲରେ ବିରୋଧ ହେବାରେ ଲାଗିଛି । ଆନ୍ଦୋଳନ ନାଁରେ ସେମାନେ ରାଜନୀତି କରୁଥିବା ଅଭିଯୋଗ ହୋଇଛି ।