କନକ ବ୍ୟୁରୋ : ନୂ୍ଆ ସରକାର ଆସିବାକୁ ବିତିଲାଣି ୧୪ ମାସ । ହେଲେ ତୃଣମୁଳସ୍ତରରେ ତ୍ବରିତ ବେଗରେ ହୋଇପାରୁନି ବିକାଶମୂଳକ କାମ । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଟି ସୁଜାତା ରାଓ ଲେଖିଥିବା ଚିଠି ସରକାରଙ୍କ ଜନପ୍ରତିନିଧିଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନଚିହ୍ନ ଛିଡ଼ା କରିଛି । ବିଧାୟକ ଓ ସାଂସଦ ୧୦୩ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ, ଯାହା ଭିତରୁ ୬୭ଟି ରହିଛି ବଦଳି ପ୍ରସ୍ତାବ । ଅର୍ଥାତ ୬୫ ପ୍ରତିଶତ । କିଛି ଜନପ୍ରତିନିଧିଙ୍କୁ ଛାଡିଦେଲେ ଅନେକ ବିଧାୟକ ଓ ସାଂସଦ ବିକାଶକୁ ଗୌଣ କରି ବଦଳିକୁ ପ୍ରାଥମିକତା ଦେଇଛନ୍ତି । 

Advertisment

ଅନେକ ବିଧାୟକ ଅଛନ୍ତି ଯେଉଁମାନେ ବିକାଶକୁ ଫୋକସ କରିଛନ୍ତି । ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ରଖିଛନ୍ତି । କିଏ ବ୍ରିଜ୍‌ ନିର୍ମାଣ କଥା କହିଛନ୍ତି ତ ପୁଣି କିଏ ନିର୍ବାଚନମଣ୍ଡଳୀରେ ଖାଲି ପଦବି ପୂରଣ ଉପରେ ଜୋର ଦେଇଛନ୍ତି । ହେଲେ କିଛି ବିଧାୟକ ବାବୁଙ୍କ ବଦଳିକୁ ନେଇ ବେଶ ଚିନ୍ତିତ ଅଛନ୍ତି । ଏଥିପାଇଁ ଉନ୍ନୟନ କମିସନରଙ୍କ ନିକଟକୁ ପଠାଇଛନ୍ତି ପ୍ରସ୍ତାବ । ଜନପ୍ରତିନିଧି ଦେଇଥିବା ପ୍ରସ୍ତାବକୁ ତୁରନ୍ତ ସମାଧାନ ପାଇଁ ବିଭିନ୍ନ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ପ୍ରଶ୍ନ ଉଠୁଛି, ବିକାଶକୁ ପଛରେ ପକାଇ ବଦଳିକୁ କାହିଁକି ଗୁରୁତ୍ବ ଦେଉଛନ୍ତି ଜନପ୍ରତିନିଧି? ତୃଣମୂଳସ୍ତରରେ ଅଫିସର ଓ ଜନପ୍ରତିନିଧିଙ୍କ ମଧ୍ୟରେ ରହୁନି କି ତାଳମେଳ?