କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଗାଡି ସଂଖ୍ୟା । ଗାଡି ସଂଖ୍ୟା ବଢ଼ୁଥିବାରୁ ରାସ୍ତାକୁ ଓସାରିଆ କରାଯାଉଛି । ୬ଲେନରୁ ୮ ଲେନ୍ କରିବାକୁ ଅନେକ ସ୍ଥାନରେ ନିଷ୍ପତ୍ତି ବି ହୋଇଛି। କିନ୍ତୁ ରାସ୍ତା ଓସାରିଆ କରିବା ପାଇଁ ବେଧଡକ ଭାବରେ ଗଛ କଟାଯାଉଛି। ହେଲେ, ଏଣିକି ଆଉ ଗଛ ନ କାଟିବାକୁ ନିଷ୍ପତି ହୋଇଛି । ଗଛକୁ କାଟିବା ବଦଳରେ କରାଯିବ ସ୍ଥାନାନ୍ତର । ଏନେଇ ରାଜ୍ୟ ସରକାର ଖୁବ ଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ ସଡକ ନିର୍ମାଣ ନୀତି । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ନୀତି । ୟୁରୋପିଆନ ମେସିନ ସାହାଯ୍ୟରେ ସ୍ଥାନାନ୍ତର ହେବ ଗଛ । କେବଳ ଏତିକି ନୁହଁ ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଚିନ୍ତା ବଢାଉଥିବାବେଳେ ରାସ୍ତାରେ ପଡୁଥିବା, ପ୍ଲାଷ୍ଟିକକୁ ପୁନବ୍ୟବହାର କରି ରାସ୍ତା ନିର୍ମାଣ କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।
ପୂର୍ତ୍ତ ବିଭାଗର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ନୂଆ ସଡକ ନିର୍ମାଣ ନୀତି ଅନୁଯାୟୀ ରାସ୍ତା ନିର୍ମାଣ ହେଲେ ଲକ୍ଷାଧିକ ଗଛ ବଂଚିଯିବା ସହ, ପରିବେଶର ସୁରକ୍ଷା ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏଦିଗରେ କାମ ଆରମ୍ଭ କଲେଣି । ବିଶେଷ କରି ଏଥିପାଇଁ ସମ୍ୱାଦ ପରିବାରର କ୍ଲାଇମେଟ ପଞ୍ଚାୟତର କାର୍ୟ୍ୟକ୍ରମର ବହୁ ଅବଦାନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଜଳବାୟୁ ପରିବର୍ତ୍ତନ କେବଳ ପରିବେଶବିତ୍ତ ବା ବୈଜ୍ଞାନିକଙ୍କ ପ୍ରସଙ୍ଗ ନୁହେଁ ବରଂ ଏହା ସାଧାରଣ ଲୋକଙ୍କ ସହ ଜଡିତ । ରାଜନେତାମାନେ ସଜାଗ ହେଲେ ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ଓ ସମାଧାନର ବାଟ ବାହାର କରିବେ । ଏହି ଉଦ୍ଦେଶ୍ୟରେ ସମ୍ବାଦ ପରିବାର ଆରମ୍ଭ କରିଥିଲା କ୍ଲାଇମେଟ ପଞ୍ଚାୟତ । ରାଜ୍ୟର ସମସ୍ତ ବିଧାୟକଙ୍କୁ ଏହି ମିଶନରେ ଯୋଡିଥିଲା । ଆଉ ଏହାର ପ୍ରତିଫଳନ ଦଖିବାକୁ ମିଳୁଛି ନୂଆ ସରକାରଙ୍କ ନୂଆ ସଡକ ନିର୍ମାଣ ନୀତିରେ ।