କନକ ବ୍ୟୁରୋ: ଓଡ଼ିଶାରେ ଆଜି ବି ଅଛି ଅଭିଶପ୍ତ ଗାଁ । ଏଠି ଖଟିଆରେ ବୁହା ହୁଅନ୍ତି ରୋଗୀ, ପାଣି ପାଇଁ ମା’ ମାନେ ମୁଣ୍ଡରେ ଗରା ଧରି ଚାଲନ୍ତି ମାଇଲ୍ ମାଇଲ୍ ବାଟ । ଏ ଗାଁ କାହାର ଅଭିଶାପରେ ଅଭିଶପ୍ତ ନୁହେଁ ବରଂ ପ୍ରଶାସନ ପଚାରୁନଥିବାରୁ ହୋଇଯାଇଛି ଅଛୁଆଁ । ଜାଣନ୍ତୁ ସରକାରୀ ସୁବିଧା ନଥିବା ଏକ ଦୁର୍ଗମ ଅଞ୍ଚଳର ଗାଁର ଅବସ୍ଥା କଥା ।  

Advertisment

ସ୍ବାଧୀନତାର ଅର୍ଦ୍ଧ ଶତାବ୍ଦୀ ବିତିଯାଇଥିଲେ ବି ଗଞ୍ଜାମ ଧରାକୋଟର ନାକତିରି ଗାଁ ସରକାରୀ ସୁବିଧାରୁ ବଞ୍ଚିତ ରହିଛି । ଏ ଗାଁରେ ମୋଟ୍ ୪୦ଟି ପରିବାର ରୁହନ୍ତି । ଦୂରରୁ ସୁନ୍ଦର ଦେଖାଯାଉଥିବା ପାହାଡ଼ ପର୍ବତ ଘେରା ଏ ଗାଁରେ ମାଳମାଳ ସମସ୍ୟା ରହିଛି । କାରଣ ନାକତିରି ଗାଁକୁ ଯିବାକୁ ହେଲେ ଆପଣ ନାକରଗଡ଼ି ୪ରୁ୫ କିଲୋମିଟର ପାହାଡ଼ ଚଢ଼ିବାକୁ ପଡ଼ିବ । ସରକାରଙ୍କ ଜନନୀ ସୂର୍ଯ୍ୟ ଯୋଜନା ଏଠି ଅର୍ଥ ହୀନ । 

ଆହୁରି ପଢ଼ନ୍ତୁ : କର୍ଣ୍ଣାଟକ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଉପରେ ବିରାମ : ବଦଳିବନି କ୍ୟାବିନେଟ

ଗର୍ଭବତୀଙ୍କୁ ମେଡିକାଲ ନେବାରେ ସମ୍ଭବ ହେଉ ନଥିବାରୁ ପାରମ୍ପରିକ ପଦ୍ଧତିରେ ପ୍ରସୂତି କରାଯାଏ I ତେଣୁ ଅନେକ ସମୟରେ ମା ଓ ଛୁଆଙ୍କ ଜୀବନ ବି ଚାଲିଯାଏ । ବର୍ଷା ହେଲେ ତ କଥା ସରିଲା, ଗାଁ ଟି ପୂରାପୂରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଏ । ଖାଲି ଏତିକି ନୁହେଁ ମୋବାଇଲ ନେଟୱର୍କ, ପିଇବା ପାଣି ସମସ୍ୟା ସବୁ ଗାଁ ପାଇଁ ସତେ ଯେମିତି ଅଭିଶାପ ପାଲଟିଛି । ସରକାରଙ୍କ ପାଇଁ ଏ ଗାଁ ସତେ ଯେମିତି ସାବତ ଗାଁ । ସରକାରୀ ଚାଉଳ କି ଭତ୍ତା ଟଙ୍କା ଆଣିବାକୁ ହେଲେ ହିତାଧିକାରୀଙ୍କୁ ବଣ ପାହାଡ଼ ଡେଇଁ ଯିବାକୁ ହୁଏ । ତେଣୁ ଏବେ ଗାଁର ସବୁ ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ଆକୁଳ ନିବେଦନ କରିଛନ୍ତି ।