କନକ ବ୍ୟୁରୋ: ରାଜ୍ୟରେ ଥିବା ବିଭିନ୍ନ କ୍ରୀଡା ଛାତ୍ରାବାସରେ ଖାଲି ପଡିଛି କୋଚ ପଦବୀ। ହେଲେ ସରକାର ଖେଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ପାଇଁ ସ୍ୱପ୍ନ ଦେଖୁଛନ୍ତି । ହେଲେ, ବିନା କୋଚରେ କେମିତି ଖେଳାଳି ସୃଷ୍ଟି ହେବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ ଖେଳାଳୀ ଓ କୋଚ।
- ବିନା କୋଚରେ ଖେଳାଳିଙ୍କ ସ୍ୱପ୍ନ ଦେଖୁଛନ୍ତି ସରକାର
- କ୍ରୀଡା ଛାତ୍ରାବାସରେ ଫାଙ୍କା ପଡିଛି କୋଚ ପଦବି
ସରକାର ରାଜ୍ୟର ତୃଣମୂଳ ସ୍ତରରୁ ଅନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି କରିବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ମିଳିଥିବା ତଥ୍ୟ ଅନୁସାରେ ଏବେ ବି କ୍ରୀଡା ନିର୍ଦ୍ଦେଶକଙ୍କ ଅଧିନରେ ଥିବା କ୍ରୀଡା ଛାତ୍ରାବାସରେ ବହୁ କୋଚ ପଦବୀ ଫାଙ୍କା ପଡିଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସୂଚନା ମିଳେ, ରାଜ୍ୟରେ ଏବେ ମାତ୍ର ୫ ଜଣ ସିନିୟର କୋଚ ଓ ୨୩ ଜଣ ଜୁନିଅର କୋଚ ଅଛନ୍ତି । ଠିକ୍ ସେହିଭଳି ୧୬ ଜଣ ଓସିଏସ କୋଚ ଅଛନ୍ତି । କିନ୍ତୁ ୩୮ ଜଣ ଜୁନିଅର କୋଚ ପଦବି ଫାଙ୍କା ପଡିଥିବା ବେଳେ ୪ ସିନିଅର କୋଚ ପଦବି ଖାଲି ପଡିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧୬ଟି କ୍ରୀଡା ଛାତ୍ରାବାସ ରହିଥିବା ବେଳେ ଏହି ସ୍ଥାନରେ ପ୍ରାୟ ୮୦ ପ୍ରତିଶତ ପଦବୀ ଖାଲି ରହିଛି । କେବଳ ସେତିକି ନୁହେଁ କ୍ରୀଡା ପ୍ରଶିକ୍ଷକ ହେବା ପାଇଁ ଦେଶର ଏକମାତ୍ର ଇନଷ୍ଟିଚ୍ୟୁଟ ପଟିଆଲାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟସରୁ ପାଠ ପଡି ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ପିଲା ନିଯୁକ୍ତି ପାଉ ନଥିବା ଅଭିଯୋଗ ହୋଇ ଆସିଛି । ସବୁଠୁ ବଡ ବିଡମ୍ବନାର ବିଷୟ, ଏହି ପିଲାମାନେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ନିଜର ଅଭିଯୋଗ ଜଣାଇଥିଲେ । ପ୍ରଶ୍ନ ଉଠୁଛି, ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବା ସତ୍ୱେ କାହିଁକି କ୍ରୀଡା ବିଭାଗ ସମାଧାନ ପାଇଁ ପଦକ୍ଷେପ ନେଉ ନାହିଁ।