କନକ ବ୍ୟୁରୋ: ସଙ୍ଗୀନ ହେଉଛି ଭୂତଳ ଜଳସ୍ତର । ମାଟିତଳୁ କମି କମି ଯାଉଛି ପାଣି । ଗୋଟିଏ କି ଦୁଇଟି ନୁହେଁ ରାଜ୍ୟର ୨୩ଟି ଜିଲ୍ଲାରେ ସାଂଘାତିକ ସ୍ଥିତି ଦେଖାଦେଇଛି । ଏବେଠାରୁ ଏହାର ପ୍ରତିକାର କରାନଗଲେ ଆଗକୁ ପାଣି ପାଇଁ ଓଡ଼ିଶା ଡହଳବିକଳ ହେବା ଜଳଜଳ ଦେଖାଯାଉଛି । ଆଉ ଏହାର ମୁକାବିଲା କରିବାକୁ ସରକାର ଗଠନ କରିଛନ୍ତି କମିଟି । 

Advertisment

ଓଡ଼ିଶାରେ ସଙ୍କଟରେ ଭୂତଳ ଜଳସ୍ତର । ସ୍ଥିତି ସଙ୍ଗୀନ ଆଉ ସାଂଘାତିକ ଆଡକୁ ଗତି କରିଛି । ଯଦି ଏବେଠୁ ସଜାଗ ନେହେବେ ତେବେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିପାରେ । ଜଳସଙ୍କଟ ଦେଇ ଗତିପାରନ୍ତି ଓଡ଼ିଶାବାସୀ । ତେଣୁ ଭୂତଳଜଳସ୍ଥିତିକୁ କେମିତି ନିୟନ୍ତ୍ରଣକୁ ଅଣାଯାଇପାରିବ, ସେ ନେଇ ଅଣ୍ଟାଭିଡ଼ିଛନ୍ତି ରାଜ୍ୟ ସରକାର । କିଛିଦିନ ପୂର୍ବରୁ ଜଳସମ୍ପଦ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଭୂତନ ଜଳର ସମୀକ୍ଷା ଓ ପରିଚାଳନା ନେଇ ପଦକ୍ଷେପ ନେବେ ।

ସରକାରଙ୍କୁ ଘାରିଛି ଭୂତଳ ଜଳଚିନ୍ତା 
-ଗଠନ ହେଲା ୧୪ ଜଣିଆ କମିଟି
-ଜଳସମ୍ପଦ ବିଭାଗ ମୁଖ୍ୟ ଶାସନ ସଚିବ କମିଟିର ଅଧ୍ୟକ୍ଷ
- ଉଠା ଜଳସେଚନ, ଶିଳ୍ପ, ମୃତ୍ତିକା ସଂରକ୍ଷଣ ଅଧିକାରୀ ସଦସ୍ୟ
-ନାବାର୍ଡର ଜେନେରାଲ ମ୍ୟାନେଜର ସଦସ୍ୟ
-କମିଟି ଭୂତଳ ଜଳସ୍ତରର ବାର୍ଷିକ ସମୀକ୍ଷା କରିବେ  
-୩୧ ଜୁଲାଇ ପୂର୍ବରୁ ରିପୋର୍ଟ ସରକାରଙ୍କୁ ଦେବେ

ତଥ୍ୟ ଅନୁସାରେ, ରାଜ୍ୟରେ ୨୩ଟି ଜିଲ୍ଲାରେ ଭୂତଳ ଜଳସ୍ତର ସାଂଘାତିକ ଭାବେ କମୁଛି ।
ବାଲେଶ୍ବର, ଭଦ୍ରକ, କଟକ, ନୂଆପଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ସମ୍ବଲପୁରକୁ ଛାଡ଼ିଦେଲେ ବାକି ୨୩ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଛି 
ଗଜପତି, ରାୟଗଡ଼ାରେ ସ୍ଥିତି ସଙ୍ଗୀନ

ଭୂତଳ ଜଳସ୍ତରକୁ ସଂରକ୍ଷଣ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ତାହା ଫଳପ୍ରଦ ହୋଇପାରୁନି । ତେଣୁ ଏହି ନୂଆ କମିଟି ଗଠନ ଭୂତଳ ଜଳସଙ୍କଟକୁ କେତେ ରୋକିପାରୁଛି ତାହା ବଡ଼ପ୍ରଶ୍ନ ।