କନକ ବ୍ୟୁରୋ : କିଡନୀ ରୋଗୀଙ୍କର ଅଭିନବ ପ୍ରତିବାଦ। ଭୁବନେଶ୍ୱର ରାସ୍ତାରେ ବ୍ୟାନର ପିନ୍ଧି ଚାଲିଚାଲି ପ୍ରତିବାଦ କରିଛନ୍ତି । ନ୍ୟାୟ ଦିଅ, ନହେଲେ ଗୁଳି କରି ମାରିଦିଅ। ଏଭଳି ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କିଡନୀ ରୋଗୀ। କଟକ ଏସସିବି ମେଡିକାଲରେ କିଡନୀ ରାକେଟ ଚାଲିଥିବା କିଡନୀ ରୋଗୀ ଅଭିଯୋଗ ଆଣିଛନ୍ତି । ଏସସିବି ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ପଦବୀ ନଥିବାରୁ ଠିକ ଚିକିତ୍ସା ହୋଇପାରୁନଥିବା ଅଭିଯୋଗ କରିଛନ୍ତି କିଡନୀ ରୋଗୀ ।
କିଡନୀ ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଔଷଧ ଦିଆଯାଉଛି । କଟକ ଏସସିବିରେ କିନ୍ତୁ ବାରମ୍ୱାର ଔଷଧ ବଦଳାଇ ନୂଆ ଔଷଧ ଦିଆଯାଉଥିବା କହିଛନ୍ତି କିଡନୀ ରୋଗୀ । ଏହାଦ୍ୱାରା ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ଏସସିବିରେ ବର୍ଷକୁ ମାତ୍ର ୯ଟି କିଡନୀ ପ୍ରତିରୋପଣ ହେଉଥିବା ବେଳେ ଘରୋଇ ଡାକ୍ତରଖାନାରେ ଅଧିକ ହେଉଛି । ସରକାରୀ ଡାକ୍ତରଖାନାରେ ଅଧିକ କିଡନୀ ପ୍ରତିରୋପଣର ବ୍ୟବସ୍ଥା ହେଲେ ସୁବିଧା ହେବ ବୋଲି କିଡନୀ ରୋଗୀ କହିଛନ୍ତି ।
ଅତୀତରେ ପୂର୍ବ ସରକାରଙ୍କୁ ଅନେକ ବାର ଟାର୍ଗେଟ କରିଥିଲେ କିଡନୀ ରୋଗୀ, ଏବେ ନୂଆ ସରକାରଙ୍କୁ ବି ଘେରିଛନ୍ତି । ଏନେଇ ଆମେ ଏସସିବି ମେଡିକାଲ କର୍ତ୍ତୃପକ୍ଷ ତଥା ନେଫ୍ରୋଲୋଜି ବିଭାଗର ଡାକ୍ତରୀ ଟିମର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।