କନକ ବ୍ୟୁରୋ : ବଦଳିଛି ସରକାର କିନ୍ତୁ ବଦଳିଲାନି ବ୍ୟବସ୍ଥା । ଏବେ ବି ସାମ୍ବାଦିକଙ୍କୁ ସଚିବାଳୟ ମନା । ୨୪ ବର୍ଷ ପରେ ସରକାର ବଦଳିଛି କିନ୍ତୁ ବିଜେଡି ସମୟରେ ଯେଉଁ ବ୍ୟବସ୍ଥା ଥିଲା ଏବେ ମଧ୍ୟ ସେଇ ବ୍ୟବସ୍ଥା ଚାଲିଛି । ସରକାରକୁ ଆସିଲେ ନୂଆ ଆକ୍ରିଡିସନ୍ ପଲିସି ଅଣାଯାଇ ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ଅନୁମତି ଦିଆଯିବ ବୋଲି କହିଥିଲା ବିଜେପି । ଏ ଯାଏଁ ଆକ୍ରିଡିସନ୍ କମିଟି ମଧ୍ୟ ଗଠନ କରାଯାଇ ପାରିନାହିଁ । ଲୋକସେବା ଭବନକୁ ସେହି ମାନେ ଯାଇପାରିବେ ଯେଉଁ ମାନଙ୍କ ପୁରୁଣା ଆକ୍ରିଡିସନ୍ ଅଛି । ଅନ୍ୟମାନେ କେମିତି ଲୋକସବା ଭବନକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସାମ୍ବାଦିକ ।

Advertisment

ତତକାଳୀନ ବିଜେଡି ସରକାର ସାମ୍ୱାଦିକଙ୍କୁ ଲୋକସେବା ଭବନ ପ୍ରବେଶକୁ ବାରଣ କରିଥିଲେ । ଏବେ ନୂଆ ସରକାରର ଶହେ ଦିନ ପୂରିଲାଣି କିନ୍ତୁ ନିଷ୍ପତ୍ତିର ପୁନଃବିଚାର କରାଯାଉନାହିଁ । ସରକାର ପରିବର୍ତ୍ତନ ହେଲା ପରେ କ୍ରୀଡା ସାମ୍ବାଦିକଙ୍କୁ ଗୋଟିଏ ମେସେଜ ଦିଆଯାଇଥିଲା କି ସେମାନେ କାମ କରୁଥିବା ସଂସ୍ଥାର ପରିଚୟ ପତ୍ର ଦେଖାଇ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରି ପାରିବେ । କିନ୍ତୁ କ୍ରୀଡା ସାମ୍ବାଦିକ ଖବର ସଂଗ୍ରହ ପାଇଁ ଗଲେ ନିଜର ପରିଚୟପତ୍ର ଦେଖେଇଲେ ସୁଦ୍ଧା ଭିତରୁ ଅନୁମତି ନଆସିଲେ ଛଡ଼ା ଯାଇନଥିବା ଅଭିଯୋଗ କରିଛନ୍ତି କ୍ରୀଡା ସାମ୍ବାଦିକ । କ୍ରୀଡା ବିଭାଗ ତରଫରୁ ବିଧିବଦ୍ଧ ଭାବରେ କୁହାଯାଇଥିଲେ ବି କାହା ନିର୍ଦ୍ଦେଶରେ ସାମ୍ବାଦିକଙ୍କୁ ଗେଟରେ ଅଟକାଯାଉଛି ? ବୋଲି ପ୍ରଶ୍ନ ଉଠୁଛି । 

ଲୋକସେବା ଭବନ ଓ କଳିଙ୍ଗ ଷ୍ଟାଡିୟମରେ ସାମ୍ୱାଦିକଙ୍କ ପ୍ରବେଶ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି । ସରକାରଙ୍କ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସରକାର ଯେତିକି ତତ୍ପର ଠିକ୍ ସାମ୍ବାଦିକ ଜଣେ ମଧ୍ୟ ସେତିକି ତତ୍ପର । ସେହିଭଳି କ୍ରୀଡାର ପ୍ରଚାର ପ୍ରସାର କେମିତି ହେବ ଉଭୟ କ୍ରୀଡା ବିଭାଗ ଓ ଜଣେ କ୍ରୀଡା ସାମ୍ୱାଦିକ କରନ୍ତି । ଏବେ ଦେଖିବା ବାକି ରହିଲା ସାମ୍ବାଦିକଙ୍କ ଉପରୁ କଟକଣା କେବେ ହଟାଉଛନ୍ତି ସରକାର ।