କନକ ବ୍ୟୁରୋ: ବରଗଡ଼ରେ ଆରମ୍ଭ ହୋଇଛି ଖରିଫ୍ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ଖୋଦ୍ ଯୋଗାଣ ମନ୍ତ୍ରୀ ଧାନ କିଣା ବିକାର ଶୁଭାରମ୍ଭ କରିଥିଲେ ବି ବାସ୍ତବ ସ୍ଥିତି ଅଲଗା । ଆଜି ପର୍ଯ୍ୟନ୍ତ କୌଣସି ଚାଷୀ ନିଜ ଧାନ ବିକି ପାରି ନାହିଁ । କେଉଁ ମଣ୍ଡିରେ ଚାଷୀଙ୍କ ଟୋକନ ଆସି ନ ଥିବା ବେଳେ ଅନ୍ୟପଟେ ମିଲର୍ସକୁ ଟାର୍ଗେଟ ନ ମିଳୁଥିବାରୁ କୌଣସି ଜଣେ ହେଲେ ଚାଷୀ ଙ୍କର ଧାନ କିଣାଯାଇନାହିଁ ।
କାଲି ମନ୍ତ୍ରୀ, ବିଧାୟକ ଜିଲ୍ଲାପାଳ, ଯୋଗାଣ ଅଧିକାରୀ ବରଗଡ ଜିଲ୍ଲା କଳାପାଣି ମାର୍କେଟ ଧାନ ମଣ୍ଡିରେ ଧାନବିକ୍ରିର ତଦାରଖ କରିଥିଲେ । ଅତାବିରା ଓ ଗୋଡ଼ଭଗା ମଣ୍ଡି ସମେତ ଜିଲ୍ଲାରେ ୨୨୯ ଟି ଜାଗାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଆଜିଯାଏଁ କୌଣସି ଚାଷୀ ଟୋକନ ପାଇନାହାନ୍ତି ଓ ମିଲରଙ୍କ ଟାର୍ଗେଟ ନ ଥିବାରୁ ଧାନ ବିକ୍ରି ହୋଇପାରିନାହିଁ ।
ମଣ୍ଡିକୁ ଆସୁନି ଧାନ
ମିଲର୍ସଙ୍କୁ ମିଳିନି ଟାର୍ଗେଟ
ଚଳିତ ବର୍ଷ ପ୍ରାୟ ୧ ଲକ୍ଷ ୫୦ ହଜାର ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ପ୍ରାୟ ୭୩ ଲକ୍ଷ ୬୭ ହଜାର କୁଇଣ୍ଟାଲ ଧାନ ୨୦୫ଟି ମଣ୍ତିରୁ ସଂଗ୍ରହ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଚାଷୀ ୩୧ ଶହ ଟଙ୍କାରେ ଧାନ ବିକ୍ରି କରିବେ । କୌଣସି କଟନି ଛଟନି ବିନା ଚାଷୀ ଧାନ ବିକ୍ରି କରିପାରିବେ । ତେବେ ଧାନକିଣା ବିକା ଗତ କାଲିଠୁ ଆରମ୍ଭ ହୋଇଛି କିନ୍ତୁ ମିଲର ଟାର୍ଗେଟ ଆଜି ଦିଆ ହେବ ଆଉ ଅତିଶୀଘ୍ର ଚାଷୀଙ୍କୁ ଟୋକନ ମିଳିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ । ତାସତ୍ତେ୍ୱ ମଣ୍ଡିକୁ କୌଣସି ଧାନ ଆଜି ଆସିନାହିଁ ଆଉ ଗତ କାଲି ଯେଉଁ ଚାଷୀଙ୍କ ଧାନ ଆସିଛି ସେହି ଚାଷୀଙ୍କର ଟୋକନ ନାହିଁ କି ମଣ୍ଡିରେ ମିଲର୍ସଙ୍କୁ ଟାର୍ଗେଟ ଦିଆଯାଇନାହିଁ ।
ସରକାର ୮ ତାରିଖରେ ବରଗଡରେ ଚାଷୀ ସମାବେଶ କରିବେ । କିନ୍ତୁ ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।