କନକ ବ୍ୟୁରୋ: ଯେଉଁ ଅଁଚଳରେ କାଁ ଭାଁ ମାଣ୍ଡିଆ ଉତ୍ପାଦନ ହେଉଛି, ସେଠାରେ ହଜାର ହଜାର କ୍ୱିଣ୍ଟାଲ ମାଣ୍ଡିଆ କିଣା ଯାଉଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ମଣ୍ଡି ଅଧିକାରୀଙ୍କୁ ହାତ ବାରିଷି କରି ବ୍ୟବସାୟୀମାନେ କମ ଦରର ମାଣ୍ଡିଆ କିଣି ଆଣି ମାଲକାନଗିରି ମଣ୍ଡିରେ ବିକ୍ରି କରି ଲାଭବାନ ହୋଉ ଥିବା ଜଳ ଜଳ ହୋଇ ଦେଖା ଯାଉଛି ।
ରାଜ୍ୟରେ ଶ୍ରୀଅନ୍ନ ଅଭିଯାନର ସଫଳ ରୁପାୟନ ଲାଗି ୱାସନ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ କରାଯାଇଛି। ମଣ୍ଡି ଜରିଆରେ ମାଣ୍ଡିଆ କିଣା ଯାଉଛି।
ମାଲକାନଗିରିରେ ୨୦୨୩-୨୪ ଆର୍ଥିକ ବର୍ଷରେ ମାଣ୍ଡିଆ କିଣାକୁ ନେଇ ଚମକାଇ ଦେଲା ଭଳି ତଥ୍ୟ ଆସିଛି। ଯେଉଁଠି ମାଣ୍ଡିଆ ଉତ୍ପାଦନର ନାଁ ଗନ୍ଧ ନାହିଁ, ସେଠି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଣ୍ଡିଆ କିଣା ଯାଇଛି! ଟିଡିସିସି ସଂସ୍ଥା ଜରିଆ ମାଥିଲି ବ୍ଲକରେ ୧୯୨୬ ଜଣ ଚାଷୀଙ୍କ ଠାରୁ ୮୪୮୯ କ୍ୱିଣ୍ଟାଲ ମାଣ୍ଡିଆ କିଣା ହୋଇଛି। ସରକାରୀ ତଥ୍ୟକୁ ବିଶ୍ୱାସ କରି ପାରୁନାହାନ୍ତି ମାଥିଲି ଚାଷୀ। ଏତେ ପରିମାଣର ମାଣ୍ଡିଆ ଉତ୍ପାଦନ ହୋଇନଥିବା ଅଭିଯୋଗ କରିଛନ୍ତି।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକକୁ ବାଦ ଦେଲେ ଅନ୍ୟ ବ୍ଲକରେ କାଁ ଭାଁ ମାଣ୍ଡିଆ ଚାଷ ହୁଏ। ତେଣୁ ମାଲକାନଗିରି ମଣ୍ଡିରେ ପଡ଼ୋଶୀ ଜିଲ୍ଲାର ମାଣ୍ଡିଆ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଦଲାଲମାନେ କରୋପୁଟର ନନ୍ଦପୁର, ପାଡୁଆ, ଚାଟୁଆ, କୁନ୍ଦୁଲି ଅଂଚଳରୁ ୧୮ ରୁ ୨୦ ଟଙ୍କାରେ ମାଣ୍ଡିଆ କିଣୁଛନ୍ତି। ମାଲକାନଗିରିର ବିଭିନ୍ନ ମଣ୍ଡିରେ କିଲୋ ପ୍ରତି ୩୮ ଟଙ୍କା ୪୬ ପଇସାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେପଟେ ମାଣ୍ଡିଆ କିଣାରେ କୌଣସି ତ୍ରୁଟି ନାହିଁ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ।
୫ଟି ବ୍ଲକରେ ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକାରୀ ହେଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମାଲକାନଗିରିରେ ୨୬ ହଜାର ୫୭୮ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି। ଟିଡିସିସି ଓ ଲ୍ୟାମ୍ପ୍ସ ଦ୍ୱାରା ଜିଲ୍ଲାରେ ମାଣ୍ଡିଆ କ୍ରୟରେ ଦୁର୍ନୀତିର ଗନ୍ଧ ବାରି ହେଉଛି।