କନକ ବ୍ୟୁରୋ : ପୁରୀ ବେଳାଭୂମିରେ ବେଧଡ଼କ ନିର୍ମାଣ । ତିଆରି ଚାଲିଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର । ସମୁଦ୍ରଠାରୁ ମାତ୍ର କିଛି ଫୁଟ ଦୂରରେ ଚାଲିଛି ସ୍ଥାୟୀ ନିର୍ମାଣ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ପୂର୍ବ ସରକାର ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ଏହାର ସମୀକ୍ଷା କରି ନିର୍ମାଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।
ବେଳାଭୂମିରେ ମାଳ ମାଳ କୋଠା ନିର୍ମାଣ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ତିଆରି ହେଉଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ବା ମତ୍ସ୍ୟ ଅବତରଣ କେନ୍ଦ୍ର । ପୂର୍ବ ସରକାରଙ୍କ ଅନୁମତିକ୍ରମେ ବଳିଆପଣ୍ଡା କାମେଲିଆ ହୋଟେଲଠାରୁ ଶୁଭ ପ୍ୟାଲେସ ସମ୍ମୁଖରେ ୬୦ରୁ ଅଧିକ କୋଠାଘର ନିର୍ମାଣ ହେଉଛି । ଏଠାରେ ମାଛଧରା ଡଙ୍ଗା, ଜାଲ ଓ ମାଛ ରହିବ । ୩ଟି ମତ୍ସ୍ୟଜୀବୀ ସମିତି ଏଥିରେ ସହଯୋଗ କରୁଛନ୍ତି । ବିଶ୍ୱସ୍ତରୀୟ ପର୍ୟ୍ୟଟନସ୍ଥଳୀରେ ଏପରି ନିର୍ମାଣ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ନିର୍ମାଣ ଦ୍ୱାରା ବେଳାଭୂମି ସଂକୁଚିତ ହେଉଛି । ଏପରି ନିର୍ମାଣକୁ ଜନସାଧାରଣ ନାପସନ୍ଦ କରୁଛନ୍ତି । ଏହାଦ୍ବାରା ବେଳାଭୂମିର ସୌନ୍ଦର୍ଯ୍ୟ କମିଯିବ । ପର୍ଯ୍ୟଟନ ଉପରେ ପ୍ରଭାବ ପଡ଼ିବ । ଜାଲ, ଡଙ୍ଗା ଓ ମାଛ ଗଦା ହେବା ଫଳରେ ଦୁର୍ଗନ୍ଧରେ ପର୍ଯ୍ୟଟକ ଅସନ୍ତୁଷ୍ଟ ହେବେ । ତେବେ ଏହାର ସମୀକ୍ଷା କରି କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । ସମୁଦ୍ରକୂଳରେ ଲୁହାରଡ୍, ଗୋଡ଼ି ଓ ସିମେଣ୍ଟ ବ୍ୟବହାର କରି ସ୍ଥାୟୀ ନିର୍ମାଣ କରାଯାଉଛି । ଏହାଦ୍ୱାରା ପର୍ଯ୍ୟଟକ ସମୁଦ୍ର ଦେଖିବାରୁ ବଞ୍ଚିତ ହେବେ । ଏହା ଦ୍ୱାରା ସମୁଦ୍ରକୂଳ ପାଚେରିକୁ ଲାଗିଥିବା ଚଲାପଥ ମଧ୍ୟ ଅବରୋଧ ହେଉଛି ।