କନକ ବ୍ୟୁରୋ : କାମରେ ଲାଗୁନି ଗ୍ରାମୀଣ ପାର୍କ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଅଧାପନ୍ତରିଆ ଗ୍ରାମୀଣ ପାର୍କ । ପାର୍କ ଭିତରେ ଘାଷ ଚରୁଛନ୍ତି  ଗୋରୁ ଗାଈଙ୍କ ସହିତ ଛେଳି । ପାର୍କ ଚାରିପଟେ ନିର୍ମାଣ ହୋଇଥିବା ପାଚେରିରେ ମାଡଗଲାଣି ଗଛଲତା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକରେ ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ଖେଳ ଓ ବ୍ୟାୟାମ ସାମଗ୍ରୀ । କରୋନା କାଳରେ ଗାଁକୁ ଫେରିଥିଲେ ଦାଦନ ଶ୍ରମିକ । ସେମାନଙ୍କୁ କାମ ଦେବା ପାଇଁ ମନରେଗା ଯୋଜନାରେ ମାର୍ଶାଘାଈ ବ୍ଲକର ୧୪ଟି ପଂଚାୟତରେ ନିର୍ମାଣ ହୋଇଥିଲା ଗ୍ରାମୀଣ ପାର୍କ । ଉଦେଶ୍ୟ ଥିଲା, ଶ୍ରମିକଙ୍କୁ ଶହେ ଦିନର କାମ ମିଳିବା ସହ ଲୋକଙ୍କୁ ମନୋରଂଜନର ଖୋରାକ୍ ମିଳିବ। ୨୦୨୦-୨୧ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ପାର୍କର ବର୍ତ୍ତମାନ ଅବସ୍ଥା ଦେଖିଲେ ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଛି । 

Advertisment

ଲୋକଙ୍କ ଆମୋଦପ୍ରମୋଦ ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ପାର୍କ ଏବେ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। ଚାରିଆଡ଼େ ଗଛଲତା ମାଡ଼ି ଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ପିଲାଙ୍କ ଖେଳ ସାମଗ୍ରୀ ଭାଙ୍ଗିରୁଜି ଗଲାଣି। ବ୍ୟାୟାମ ସାମଗ୍ରୀର ଅବସ୍ଥା ନକହିବା ଭଲ। ୧୪ଟି ପାର୍କରୁ ଅନେକ ଅଧପନ୍ତରିଆ ହୋଇ ପଡ଼ିରହିଛି । କିଛି ପାର୍କ କେବଳ ମାଟି ପକା ଓ ପାଚେରୀରେ ସୀମିତ । ବଛରେଇ ପଂଚାୟତର ଅଧପନ୍ତରିଆ ଗ୍ରାମୀଣ ପାର୍କ ଏହାର ଉଦାହରଣ । ଗରଜଙ୍ଗା ପଞ୍ଚାୟତରେ ପାର୍କ କାର୍ଯ୍ୟ ସରିଛି, ରକ୍ଷଣାବେକ୍ଷଣ ଅଭାବରୁ ଏବେ ପରିତ୍ୟକ୍ତ । ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଲାଇଟ ଭାଙ୍ଗିରୁଜି ଯାଇଛି । ସେପଟେ ପାର୍କ ବାଦରେ ଖର୍ଚ୍ଚ ହୋଇଥିବା ଟଙ୍କା ଏଯାଏଁ ମିଳିନଥିବା ଅଭିଯୋଗ କରିଛନ୍ତି କାମ କରିଥିବା ଠିକାଦାର । ଅଧା ପାନ୍ତରିଆ ଓ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଗ୍ରାମୀଣ ପାର୍କର ପୁନଃଉଦ୍ଧାର ପାଁଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।