କନକ ବ୍ୟୁରୋ: ପରିବେଶ ପରିଷ୍କାର ରହିଲେ, ଶରୀର ସୁସ୍ଥ ରହିବ । ତେଣୁ ପରିବେଶର ଯତ୍ନ ନେବା ପାଇଁ ସରକାରଙ୍କ ତରଫରୁ ଅନେକ କାର୍ଯ୍ୟକ୍ରମ ଓ କର୍ମଶାଳା ମାଧ୍ୟମରେ ସଚେତନ କରାଯାଉଛି । ହେଲେ ସଇଁତଳା ବ୍ଲକରେ ନିଜେ ଅସଚେତନ ହୋଇପଡ଼ିଛନ୍ତି ସରକାର । ୨ବର୍ଷ ହେଲାଣି ଡ୍ରେନ ସଫା କରାଯାଉନି । ରାସ୍ତା କଡ଼ରେ ଅଳିଆ ଆବର୍ଜନା ପଡ଼ି ରହି ମଶାମାଛିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଏବଂ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଉଛନ୍ତି।
ସଇଁତଳାର ୧୦ ଗୋଟି ୱାର୍ଡରେ ୧୫ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ ପଞ୍ଚାୟତ ତରଫରୁ ଏଠାରେ ଆବର୍ଜନା ଉଠାଇଯିବାର କୌଣସି ବ୍ୟବସ୍ଥା ନାହିଁ । ଫଳରେ ଲୋକ ଆବର୍ଜନା ଆଣି ଡ୍ରେନରେ ପକାଛନ୍ତି । ଯେଉଁଥିପାଇଁ ଡ୍ରେନଗୁଡ଼ିକ ପୋତି ହୋଇ ମଇଳା ପାଣି ରାସ୍ତା ଉପରେ ବହୁଛି । ରାସ୍ତା କଡ଼ରେ ଆବର୍ଜନା ଜମିଥିବା ବି ଦେଖିବାକୁ ମିଳୁଛି । ୨ବର୍ଷ ହେଲାଣି ପଞ୍ଚାୟତରେ ଫଣ୍ଡିଂର ଅଭାବ ପାଇଁ ଡ୍ରେନ ଗୁଡ଼ିକ ସଫା ହୋଇପାରିନଥିବା ନିଜେ ସ୍ବୀକାର କରିଛନ୍ତି ସଇଁତଳା ସରପଞ୍ଚ ।
କିଛି ମାସ ତଳେ ସଇଁତଳାରେ ଡେଙ୍ଗୁ ରୋଗରେ ୩ଜଣଙ୍କ ମୃତ୍ୟୁ ସହ ଶତାଧିକ ଆକ୍ରାନ୍ତ ହୋଇଥିଲେ । ଏହା ପରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ପ୍ରଶାସନ ସଇଁତଳାର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଗ୍ରାମ୍ୟ ପରିମଳ ବିଭାଗ ତରଫରୁ ଯେଉଁ ଆବର୍ଜନା କୁଣ୍ଡ ଓ ଗୃହ ନିର୍ମାଣ ହୋଇଛି । ତାହା ଜନବସତିଠାରୁ ବହୁତ ଦୂରରେ ଥିବାରୁ ବ୍ୟବହାରରେ ଲାଗିପାରୁନି ।