କନକ ବ୍ୟୁରୋ: ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ଆମ ଦେଶରେ ବହୁତ ଅଧିକ ରହିଛି । ଆଉ ତା’ର କିଛି ଝଲକ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଖଣିଖାଦାନ, ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାରେ ଗରିବ ଲୋକଙ୍କ ସଂଖ୍ୟା ବହୁ ଅଧିକ । କିନ୍ତୁ ଆମ ରାଜ୍ୟରେ ଏପରି କିଛି ଧନୀ ଅଛନ୍ତି ଯେଉଁମାନଙ୍କ ସମ୍ପତ୍ତି ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଏଭଳି ଧନୀ ଲୋକ ରହୁଥିବା ରାଜ୍ୟରେ ଏତେ ଗରିବୀ କାହିଁକି । 

Advertisment

ଭିଜିଲାନ୍ସ ଜାଲରେ ଧରାପଡୁଥିବା ଅଧିକାରୀଙ୍କ ସମ୍ପତ୍ତି । କିଲୋ କିଲୋ ଓଜନର ସୁନା, କୋଟି କୋଟି ପରିମାଣର ନଗଦ ଟଙ୍କା, ରାଜପ୍ରାସାଦ ଭଳି ଘର, ଫୁଟବଲ ପଡ଼ିଆ ଭଳି ଫାର୍ମହାଉସ ।.. ଆଉ ଏପଟେ ଆମ ରାଜ୍ୟରେ ଗରିବ ଗାଁର ବିକଳ ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ମୁଣ୍ଡ ଗୁଞ୍ଜିବାକୁ ଲୋକଙ୍କ ପାଖରେ ଘର ନାହିଁ। ତ କେଉଁଠି ଗାଁକୁ ଯିବାକୁ ରାସ୍ତା ନାହିଁ। ମାଟି କାଦୁଅ ରାସ୍ତା ଯୋଗୁ ଆସିପାରୁନି ଆମ୍ବଲାନ୍ସ। ଏବେବି ହସ୍ପିଟାଲ ନେବାକୁ ଗର୍ଭବତୀଙ୍କୁ ଖଟିଆରେ ବୋହିବାକୁ ପଡୁଛି। ଯାହା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜ୍ୟ ରାଜକୋଷରୁ ଦରମା ନେଉଥିବା ଚାକିରିଆ କୁବେର ବନିବା ଆଉ ଟିକସଦାତା ଗରିବ ହୋଇ ରହିବା କେଉଁଠି ନା କେଉଁ ଆମ ବ୍ୟବସ୍ଥାର ତ୍ରୁଟିକୁ ପଦାରେ ପକାଉଛି । 

ଦୁର୍ନୀତିକୁ ରୋକିବାକୁ ଭିଜିଲାନ୍ସଠାରୁ ଆରମ୍ଭ କରି ଆଉ କେତେ କଣ ବିଭାଗ ରହିଛି। ହେଲେ, ବିଡ଼ମ୍ବନାର ବିଷୟ ବର୍ଷ ବର୍ଷ ଧରି ଜଣେ ଜଣେ ଅଫିସର ରାଜକୋଷକୁ ଲୁଟିବା ପରେ ଶେଷରେ ଧରୁଛି ଭିଜିଲାନ୍ସ। କେଉଁଠି ଅବସର ନେବାର ଶେଷ ଦିନ ତ ଆଉ କେଉଁଠି ମାତ୍ର ମାସ କେଇଟା ପୂର୍ବରୁ। ବଡ଼ କଥା ହେଉଛି, କୋଟି କୋଟି ଟଙ୍କା ଧରାପଡ଼ୁଥିବା ଅଧିକାରୀଙ୍କ ତଳେ ଓ ଉପରେ ଥିବା ବାବୁଙ୍କର ଆଉ ଖୋଳତାଡ଼ ହେଉନି। ସେମାନଙ୍କୁ କିଏ ସୁରକ୍ଷା ଦେଉଥିଲା ତାର ବି ତଦନ୍ତ ହେଉନି। ଯାହାଫଳରେ ଅଟକି ଯାଉଛି ରାଜ୍ୟର ବିକାଶ । 

ବାସ୍ତବରେ ଭିଜିଲାନ୍ସ ହାତରେ ଯେତିକି ଧରାପଡ଼ୁଛନ୍ତି ସେମାନଙ୍କ ସଂଖ୍ୟା ବହୁତ କମ୍। ଗଳାବାଟ ଯୋଗୁ ଏଭଳି ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଖସିଯାଉଛନ୍ତି। ଯେଉଁଥିପାଇଁ ଆମ ରାଜ୍ୟରେ ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ ବଢ଼ୁଥିବା କୁହାଯାଇଛି। ପ୍ରଶ୍ନ ଉଠୁଛି, ବାବୁଙ୍କୁ କାହିଁକି ଆଗୁଆ ଧରିପାରୁନି ଭିଜିଲାନ୍ସ? ଭିଜିଲାନ୍ସର କର୍ମଚାରୀ ଅଭାବ ନା ଇଚ୍ଛାଶକ୍ତିର ଅଭାବ?