କନକ ବ୍ୟୁରୋ: ପୁରୁଣା ସରକାର ଆଡ଼ ଆଖିରେ ଦେଖୁନଥିଲେ, ନୂଆ ସରକାର ସତେ ଯେମିତି ମୁହଁ ମୋଡି ଦେଇଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଏବେ କେବଳ ସାଇନବୋର୍ଡରେ ସୀମିତ । ବିଲ୍ଡିଂ ଛିଡା ହୋଇଛି କିନ୍ତୁ ବୋର୍ଡର ପୁର୍ନଃଗଠନ ହୋଇପାରୁନି । ବିରୋଧୀ ସରକାରଙ୍କୁ ଘେରିଲେଣି, ହେଲେ ଶାସକ ଦଳ ଏ ସବୁର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ଉପରେ ଛାଡିଦେଇଛି । 

Advertisment

ଅନିଶ୍ଚିନ୍ତତା ଭିତରେ ରାଜ୍ୟ ଯୋଜନା ବୋର୍ଡ । ବିଲ୍ଡିଂ ଅଛି ହେଲେ ସଦସ୍ୟଶୂନ୍ୟ ହୋଇ ପଡିଛି ବୋର୍ଡ । ରାଜ୍ୟର ଦ୍ରୁତ ବିକାଶର ନକ୍ସା ଆଙ୍କିଥାଏ ଯୋଜନା ବୋର୍ଡ । ଉପାନ୍ତରୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ, ଜିଲ୍ଲା ଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ନୂଆ ଯୋଜନାର କ୍ରିୟାନ୍ବୟନରେ ଯୋଜନା ବୋର୍ଡର ଥାଏ ବଡ ଭୂମିକା । ହେଲେ ବର୍ଷ ବର୍ଷ ଧରି ସ୍ଥାଣୁ ପାଲଟିଥିବା ରାଜ୍ୟ ଯୋଜନା ବୋର୍ଡ ଏବେ ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି । ଗତବର୍ଷ ଜୁଲାଇରୁ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗିଥିଲେ ମୋହନ ସରକାର । ୧୩ ମାସ ବିତିବାକୁ ବସିଲାଣି, ହେଲେ ଯୋଜନା ବୋର୍ଡ ପୁନର୍ଗଠନର ନାଁ ଗନ୍ଧ ଧରୁନାହାନ୍ତି ନୂଆ ସରକାର ।  

ବିଜେଡି ସରକାରରେ ରାଜ୍ୟ ଯୋଜନା ବୋର୍ଡ ପାଲଟିଥିଲା ଥଇଥାନ କେନ୍ଦ୍ର ।  ଅସନ୍ତୁଷ୍ଟ ଦଳୀୟ ନେତାଙ୍କୁ ଏହି ବୋର୍ଡରେ ସ୍ଥାନ ମିଳୁଥିଲା । ହେଲେ ବୈଠକ ବସୁନଥିଲା, ଯୋଜନାର ରୂପରେଖ ପ୍ରସ୍ତୁତି ସ୍ବପ୍ନ ପାଲଟିଥିଲା । ଶେଷଥର ପାଇଁ ୨୦୦୭ ଅକ୍ଟୋବର ୧୫ରେ ବସିଥିଲା ଯୋଜନା ବୋର୍ଡ ବୈଠକ । ଏହାପରେ ବୋଧହୁଏ ରାଜ୍ୟର ବିକାଶରେ ଯୋଜନା ବୋର୍ଡର ଆବଶ୍ୟକତା ଅନୁଭବ କରିନଥିଲେ ତତ୍କାଳୀନ ସରକାର । ନୂଆ ସରକାରଙ୍କ ଆଭିମୁଖ୍ୟ ଆହୁରି ଆଶ୍ଚଯ୍ୟ କଲାଭଳି । ଯୋଜନା ବୋର୍ଡ କେବେ ଗଠନ ହେବ? ସେନେଇ ମୁହଁ ଖୋଲୁନାହାନ୍ତି ସରକାର । ଅନ୍ୟପଟେ ମତାମତ ଆଧାରରେ ଯୋଜନା ପ୍ରସ୍ତୁତ ହେଉନି ବରଂ ମନ୍ତ୍ରୀଙ୍କ ତୁଣ୍ଡରୁ ଯାହା ବାହାରୁଛି ତାହା ଯୋଜନା ବୋଲି କହି କଟାକ୍ଷ କରିଛନ୍ତି ବିରୋଧୀ । 

ରାଜ୍ୟ ଯୋଜନା ବୋର୍ଡର ଭବିଷ୍ୟତ ଏବେ ବି ଅସ୍ପଷ୍ଟ। ଏସବୁ ଭିତରେ କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟରେ ନୀତି ଆୟୋଗ ଗଠନ ଚର୍ଚ୍ଚା ମଧ୍ୟ ଜୋର ଧରିଲାଣି।