କନକବ୍ୟୁରୋ : ଶିକ୍ଷା ଅନ୍ଧକାରରୁ ଆଲୋକର ବର୍ତ୍ତିକା ଶିକ୍ଷା ଅନ୍ଧବିଶ୍ୱାସରୁ ବିଜ୍ଞାନବାଦର ପଥ । ଶିକ୍ଷାମଣିଷକୁ ମହାମାନବରେ ପରିଣତ କରିବାର ଏକ ଦୀକ୍ଷା । ହେଲେ ଆଜି ଶିକ୍ଷାପଥରେ ମୁଖ୍ୟ ବାଧକ ସାଜିଛି ନିଶା । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନିଶା ଅଭ୍ୟାସକୁ ନେଇ ସର୍ଭେ ରିପୋର୍ଟର ଖୁଲାସା ଏବେ ପୁରା ସରକାରଙ୍କୁ ଚିନ୍ତାରେ ପକାଇଛି ।
ବାନରରୁ ମଣିଷ, କଞ୍ଚାମାଂସରୁ ସୁସ୍ୱାଦୁଖାଦ୍ୟ । ପୁଷ୍ପକ ବିମାନରୁ ରାଫାଲ କେବଳ ଶିକ୍ଷାପାଇଁ ସମ୍ଭବ ହୋଇପାରିଛି । ଅନ୍ଧକାର ଜଗତରୁ କୁତ୍ରିମ ଜହ୍ନ କେବଳ ଶିକ୍ଷାର ଅବଦାନ । ହେଲେ ଯୁବପୀଢୀ ଶିକ୍ଷାମାଧ୍ୟମରେ ଦେଶର ବିକାଶକୁ ଆଗକୁ ନେବାର ଉତ୍ତରଦାୟିତ୍ୱ ରଖନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ନିଶା କବଳରେ କବଳିତ ।
ଉନ୍ନତମାନର ଶିକ୍ଷା, ନୂଆ ନୂଆ ପ୍ରଯ୍ୟୁକ୍ତି ବିଦ୍ୟା ପାଇଁ ନୂଆ ନୂଆ ଶିକ୍ଷାନୁଷ୍ଠାନ ଗଠନ କରିବା ଦିଗରେ ସରକାର ଅଗ୍ରସର । ହେଲେ ସର୍ଭେ ରିପୋର୍ଟ କହୁଛି ବିଜ୍ଞାନର ବିକାଶ, ସମାଜର ଅଗ୍ରଗତି ପାଇଁ ଯେଉଁ ଶିକ୍ଷା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ତାହାକୁ ଆଜି ନିଶା ସର୍ବନାଶ କରିବାକୁ ଯାଉଛି । କିନ୍ତୁ ବର୍ତ୍ତମାନର ଯୁବପୀଢିଙ୍କ ଠାରେ ନିଶାସେବନର ମାତ୍ରା ବଢୁଥିବା ଦେଖାଯାଇଛି ।
ଏକ ରିସର୍ଚ୍ଚରୁ ଜଣାପଡିଛି ଦେଶରେ ନିଶା ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୫୫ ପ୍ରତିଶତ ୨୦ ବର୍ଷରୁ କମ ପିଲା ନିଶା ସେବନ କରନ୍ତି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ -୨୦୧୯ ରିପୋର୍ଟ ଅନୁଯାୟୀ ୮.୫ ପ୍ରତିଶତ ସ୍କୁଲ ପିଲା ନିୟମିତ ନିଶାସେବନ କରୁଛନ୍ତି । ଏହା ମଧ୍ୟ ଜଣାଯାଇଛି ୨୦୨୧ରେ ତମାଖୁ ସେବନ କାରଣରୁ ଦେଶରେ ୧ ମିଲିୟନ ଲୋକ ମୃତ୍ୟୁବରଣ କରିଛନ୍ତି କିନ୍ତୁ ବଡ ଦୁଖ ଓ ପରିତାପର ବିଷୟ ଯାହା ସମୁଦାୟ ମୃତ୍ୟୁ ସଂଖ୍ୟାର ୧୭. ୮ ପ୍ରତିଶତ । ଏବେ ନିଶା ସେବନ ନେଇ ଏଭଳି ଉଦବେଗଜନକ ସ୍ଥିତି ସ୍ୱତ୍ତେ୍ୱ ଶିକ୍ଷାନୁଷ୍ଠାନ ପାଖରେ ଖୋଲାଖୋଲି ବିକ୍ରି ହେଉଛି ତମାଖୁ ।
ସରକାରଙ୍କ କଡ଼ା ଆଇନ, ବେସରକାରୀ ସଂସ୍ଥାମାନଙ୍କର ସଚେତନତା ସବୁ ପାଣିରେ ମିଳାଇଯାଉଛି । କାରଣ ସବୁ ଆଇନ କାନୁନକୁ ଫୁ କରି ଶିକ୍ଷାନୁଷ୍ଠାନ ପାଖାପାଖି ଅବାଧରେ ବିକ୍ରି ଚାଲିଛି ତମାଖୁ ଓ ମାଦକଦ୍ରବ୍ୟ । ଫଳରେ କୋମଳମତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀମାନେ ସହଜରେ ନିଶାସେବନ କରିବାର ସୁଯୋଗ ପାଇଯାଉଛନ୍ତି । ଅନ୍ୟ ଏକ କାରଣ ଭାବେ ସୋସିଆଲ ମିଡିଆରେ ମାଦକଦ୍ରବ୍ୟ ଓ ତମାଖୁରୁ ଅବାଧ ବିଜ୍ଞାପନ ମଧ୍ୟ ଛାତ୍ରଛାତ୍ରୀଙ୍କୁ ନିଶା ଆଡକୁ ଟାଣି ନେଉଛି ।
ସବୁଠାରୁ ଦୁଖ ଓ ପରିତାପର ବିଷୟ ସଂସଦରେ ଏନେଇ ବିଧେୟକ ପାରିତ ହେଲା ପରେ ମଧ୍ୟ ଶିକ୍ଷାନୁଷ୍ଠାନ ନିକଟରେ ବେଲଗାମ ଭାବେ ଏହାର ବିକ୍ରି ଚାଲିଛି । ଆଉ ଏହା ସବୁ ଦେଖି ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । କୋପତା ଆଇନ -୨୦୦୩ ସଂସଦରେ ପାରିତ ହେଲାପରେ ନିଦ୍ଧିଷ୍ଟ ନୀତି ନିଦ୍ଦାରଣ ହୋଇଥିଲା ଶିକ୍ଷାନୁଷ୍ଠାନର ପାଚେରୀ ଠାରୁ ୧୦୦ ୟାର୍ଡ ଭିତରେ ତମାଖୁ ଉତ୍ପାଦ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ ।
ଏଥିସହ ଅନ୍ୟପକ୍ଷରେ ଯେଉଁମାନେ ସେହି ପାଚେରୀ ଠାରୁ ୧୦୦ ମିଟର ଭିତରେ ତମାଖୁ ବିକିବେ ସେମାନଙ୍କୁ ୨ ରୁ ୫ ବର୍ଷ ଜେଲ ଦଣ୍ଡ ହେବା ସହ ୫ହଜାର ଟଙ୍କା ଜୋରିମାନା ରହିଛି । କିନ୍ତୁ ତାହା ଏବେ ଖାଲି ସୀମିତ ରହିଛି କାଗଜପତ୍ରରେ । ହଁ ଏହା ସତ ଆମ ଦେଶରେ ଆଇନ ପ୍ରଣୟନ ହୁଏ କିନ୍ତୁ ତାହାର ବିପରୀତ ଆମକୁ ଦେଖିବାକୁ ମିଳେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏହା ଉପରେ ଚିନ୍ତା ପ୍ରକଟ କଲେ ମଧ୍ୟ ଏହାର ସ୍ଥିତି ସୁଧୁରିବା ନାଁ ନେଉନାହିଁ ।
ଆଇନକୁ ଫୁ କରି ନିଶା ବେପାରୀମାନେ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ଅବାଧରେ ବିକ୍ରି କରୁଛନ୍ତି । ଆଶକ୍ତ ହୋଇ ନିଶାସେବନ କରିବାରେ ଲାଗିଛନ୍ତି ଛାତ୍ରଛାତ୍ରୀ । ଫଳରେ ସେମାନଙ୍କ ଜୀବନ ତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ବାକି ଦେଶର ଭବିଷ୍ୟତ ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି । ଆଇନ ହୋଇଛି, ନାରା ବାଜୁଛି ହେଲେ ତାହା କେବଳ ଲୋକଦେଖାଣିଆ ବିଜ୍ଞାପନ ଭଳି ଦୃଶ୍ୟମାନ ହେଉଛି ।