କନକ ବ୍ୟୁରୋ : ଅସୁରକ୍ଷିତ ବିଦ୍ୟାଳୟରେ ଭବିଷ୍ୟତ ଗଢୁଛନ୍ତି ପିଲା । ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ ସାବତ ସନ୍ତାନ ପରି ଦେଖୁଛି ଗଣଶିକ୍ଷା ବିଭାଗ । ଏହାର ଜ୍ବଳନ୍ତ ଉଦାହରଣ ସାଜିଛି ବସ୍ତା ବ୍ଲକର ଝିଞ୍ଜିପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟରେ ବିପଦ ସଙ୍କୁଳ ଅବସ୍ଥାରେ ପିଲା ପାଠ ପଢ଼ୁଛନ୍ତି । ୪୦ ପିଲାଙ୍କୁ ପଢ଼ାଇବା ପାଇଁ ଜଣେ ଶିକ୍ଷକ ଅଛନ୍ତି । ବିଦ୍ୟାଳୟକୁ ୫-ଟି ରୂପାନ୍ତରିତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଯାଇଛି ।
ବାଲେଶ୍ବର ବରୁଣଗଡ଼ିଆ ପଞ୍ଚାୟତ ଝିଞ୍ଜିପୁରରେ ଥିବା ବହୁ ପୁରାତନ ସ୍କୁଲ ଏବେ ବିପଦସଙ୍କୁଳ ଅବସ୍ଥାରେ । ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପ୍ରାୟ ୪୦ ପିଲା ପାଠ ପଢ଼ନ୍ତି । କିନ୍ତୁ ୪୦ ପିଲାଙ୍କୁ ପାଠ ପଢ଼ାଇବାକୁ ଅଛନ୍ତି ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଯଦି ସେ କୌଣସି କାରଣରୁ ଅନୁପସ୍ଥିତ ରୁହନ୍ତି ବିଦ୍ୟାଳୟ ବନ୍ଦ ରହିଥାଏ । ଅନ୍ୟପଟେ ବିଦ୍ୟାଳୟ ଛାତ ଓ କାନ୍ଥ ଫାଟି ଲୁହା ରଡ଼ ଦେଖାଯାଉଛି । ବର୍ଷା ଦିନେ ଛାତରୁ ପାଣି ଗଳୁଛି । ଚଟାଣରେ ଗାତ ସୃଷ୍ଟି ହୋଇ ବେଳେବେଳେ ବିଷଧର ସାପ ବାହାରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡ଼ରୁଛନ୍ତି।
୧୯୮୬ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା । ପରେ ୧୯୯୧ରେ ବ୍ଲକ ଅନୁଦାନପ୍ରାପ୍ତ ସ୍କୁଲ ଘୋଷଣା ହେଲା । ୨୦୦୧ରେ ଛାତ ଘର ନିର୍ମାଣ କରାଯାଇଥିଲା । ସେବେଠୁ ଆଉ ବିଦ୍ୟାଳୟର ମରାମତି କରାଯାଇନାହିଁ । ତେଣୁ ନିଜର ସୁରକ୍ଷା ପାଇଁ ନୂତନ ଗୃହ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଅବସ୍ଥା ଦେଖି ତୁରନ୍ତ ନୂତନ ଗୃହ ଓ ଶିକ୍ଷକ ନିଯୁକ୍ତି କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।