କନକ ବ୍ୟୁରୋ : ତ୍ରିକୋଣୀୟ ପ୍ରେମକୁ ନେଇ ସନ୍ଦେହ ହେଲା କାଳ । ପ୍ରେମିକାକୁ ବୁଲାଇ ନେବାକୁ କହି ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପଥର ଖଣିରେ ପୋତିଦେଲା । ଏଭଳି ଛାତିଥରା ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳରେ । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା । ୭ ମାସ ପରେ ଭରତପୁର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତାପଙ୍ଗ ପଥର ଖଣିରୁ ଯୁବତୀଙ୍କ କଙ୍କାଳ ଜବତ ପରେ ଘଟଣା ପଦାକୁ ଆସିଛି । ଅଭିଯୁକ୍ତ ଯୁବକ ରଣପୁର ମଝିଆଖଣ୍ଡ ଅଞ୍ଚଳର ଦେବାଶିଷ ବିଶିକୁ ପୁଲିସ ଗିରଫ କରିଛି । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ଏହା ସହ କଙ୍କାଳକୁ ପରୀକ୍ଷା ପାଇଁ ଏମ୍ସ ପଠାଯାଇଛି ।
ବହୁବର୍ଷ ହେବ ନିରୁପମା ରାଜଧାନୀକୁ ଆସି ଭରତପୁର ଥାନା ପାତ୍ରପଡ଼ା ଶ୍ରୀକ୍ଷେତ୍ର ରେସିଡେନ୍ସିର ସମରଜିତ୍ ଜେନାଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ଗତ ଜାନୁଆରି ୨୪ ତାରିଖରେ ସମରଜିତଙ୍କ ପରିବାର ଭଞ୍ଜନଗର ବାହାରିଥିଲେ । ସେମାନେ ନିରୁପମାଙ୍କୁ ସାଙ୍ଗରେ ନେଇଯିବାକୁ କହିଥିଲେ । ହେଲେ ସେ ତାଙ୍କ ମୋବାଇଲ୍ ଠିକ୍ କରି ଗାଁକୁ ଯିବ ବୋଲି କହିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିରୁପମା ଘରକୁ ନଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ । ଫୋନ ବନ୍ଦ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ୨୭ ତାରିଖ ଦିନ ସମରଜିତ, ନିରୁପମାଙ୍କ ପରିବାର ସହ ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ପୁଲିସ ଯୁବତୀଙ୍କ ସିଡିଆର୍ ରିପୋର୍ଟରୁ ଏକ ନମ୍ବରକୁ ନେଇ ସନ୍ଦେହ କରିଥିଲା । ଗୋଟିଏ ନମ୍ବରକୁ ବିଭିନ୍ନ ସମୟରେ ବାରମ୍ବାର କଲ୍ ହୋଇଥିବାରୁ ପୁଲିସ ନମ୍ବରକୁ ଠାବ କରି ଦେବାଶିଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା । ଦେବାଶିଷଙ୍କ ସହ ନିରୁପମାଙ୍କ ସମ୍ପର୍କ ଥିବା ଜାଣିବାକୁ ପାଇଥିଲା ପୁଲିସ । ଗୁରୁବାର ରାତିରେ ପୁଲିସର ଏକ ଟିମ୍ ନୟାଗଡ଼ ଅଞ୍ଚଳରେ ଚଢ଼ଉ କରି ଦେବାଶିଷକୁ ଗିରଫ ପରେ ହତ୍ୟା ପଛର ସତ ପଦାକୁ ଆସଥିଲା ।