କନକ ବ୍ୟୁରୋ: ଲୋୟର ସୁକତେଲ ପ୍ରକକଳ୍ପକୁ ନେଇ ଅନେକ ତୁମ୍ବି ତୋଫାନ ଚାଲିଥିବାବେଳେ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରଣ ହେଉଥିଲା ସୁକତେଲ ପ୍ରକଳ୍ପର କାହାଣୀ। ଖ୍ୟାତିସମ୍ପନ୍ନ ଗଣମାଧ୍ୟମ ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲରେ ପ୍ରସାରଣ ହୋଇଥିଲା ଏହାର ଡକ୍ୟୁମେଣ୍ଟାରୀ। ଯେଉଁଥିରେ ନଜର ଆସିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ତତ୍କାଳୀନ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଏହାସହ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମ ଉପରେ ମଧ୍ୟ ଗୋଟିଏ ବୃତ୍ତଚିତ୍ର ପ୍ରସ୍ତୁତ କରିଥିଲା ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲ। ଏହାକୁ ପ୍ରସ୍ତୁତ କରିବା ଓ ପ୍ରସାରଣ କରିବା ପାଇଁ ବିଜେଡି ସରକାର ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲ ଓ ଟାଇମ୍ସ ନେଟଓ୍ୱର୍କକୁ ଦେଇଥିଲେ ୪ କୋଟି ୬୮ ଲକ୍ଷ ୪୦ ହଜାର ଟଙ୍କା। ସୂଚନା ଅଧିକାର ଆଇନ ବଳରେ ମିଳିଛି ଏହି ତଥ୍ୟ।
ଲୋୟର ସୁକତେଲ ପ୍ରକଳ୍ପ ହେଉ କିମ୍ବା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସମସ୍ତ ଡକ୍ୟୁମେଣ୍ଟାରୀରେ କ୍ୟାମେରା ଭିକେ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀତ ହୋଇଛି। ଯେଉଁଥିରେ ନବୀନ ସରକାରଙ୍କ ଗୁଣଗାନ କରିଚାଲିଥିଲେ ପାଣ୍ଡିଆନ। କମ ସମୟ ଭିତରେ ବିଜେଡି ସରକାର କିଭଳି ଉନ୍ନୟନ ପ୍ରକଳ୍ପ କରି ଚାଲିଛନ୍ତି ସେନେଇ ଏଥିରେ ପ୍ରଚାର କରିଥିଲେ । କେତେବେଳେ ନଦୀକୁ ଛୁଇଁ ମୁଣ୍ଡିଆ ମାରୁଥିଲେ, ତ ପୁଣି କେତେବେଳେ ହକି ଷ୍ଟାଡିୟମ ବୁଲି ଦେଖୁଥିଲେ । ସରକାରୀ ଯୋଜନାର ପ୍ରଚାର ଭଲ କଥା, କିନ୍ତୁ ଏଭଳି ଡକ୍ୟୁମେଣ୍ଟାରୀ ଆଳରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ନିଜସ୍ୱ ପ୍ରଚାର କରିବାକୁ ଭୁଲିନଥିଲେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।
ତେବେ ଯେଉଁ ନିର୍ମାଣକୁ ଦେଖାଇ ବାହାବାହା ଲୁଟୁଥିଲା ବିଜେଡି ସରକାର, କିଛିମାସ ମଧ୍ୟରେ ତାହା ଭୁଷୁଡ଼ି ପଡ଼ିବା ପରେ ନିମ୍ନମାନର କାମ ନେଇ ଅଭିଯୋଗ ହୋଇଆସୁଛି। କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରି ତଦନ୍ତ ପାଇଁ ଦାବି କରିଆସୁଛନ୍ତି ସ୍ଥାନୀୟ ଲୋକ। ଏବେ ପୁଣି ବିଜ୍ଞାପନ ଆଳରେ ନିଜସ୍ୱ ପ୍ରଚାରର ଗୁମର ଖୋଲିଛି ଆଇଟିଆଇ ତଥ୍ୟ ।