କନକ ବ୍ୟୁରୋ :  ଜଙ୍ଗଲଜାତ ଦ୍ରବ୍ୟ ଯୋଗାଉଛି ଆହାର । ଜନଜାତିଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି ଜଙ୍ଗଲଜାତ ଦ୍ରବ୍ୟ । ମହୁଲ ଫୁଲ ସଂଗ୍ରହ ପରେ ମହୁଲ ଫଳ ବା ଟୋଲକୁ ବିକି ଗୁଜୁରାଣ ମେଣ୍ଟାନ୍ତି ମାଲକାନଗିରି ଜିଲ୍ଲାର ହଜାର ହଜାର ପରିବାର । କିନ୍ତୁ ଓଡ଼ିଶାରେ ଏଥିପାଇଁ ମଣ୍ଡି ସୁବିଧା ନାହିଁ । ମହୁଲ ଫୁଲ ଓ ଟୋଲ କିଣାବିକା ଉପରେ ଅବକାରୀ ବିଭାଗର କଟକଣା ଅଛି । ତେଣୁ ଲୋକ ଛତିଶଗଡ଼ ବଜାର ଉପରେ ନିର୍ଭର କରୁଛନ୍ତି ।   

Advertisment

ମାଲକାନଗିରି ଜିଲ୍ଲାରେ କୋୟା, ଡିଡ଼ାୟୀ, ବଣ୍ଡା ଗଦବା ଭଳି ଭିନ୍ନଭିନ୍ନ ଜନଜାତିର ଲୋକ ବାସ କରନ୍ତି । ଅତି ସରଳ ଏମାନଙ୍କ ଜୀବନଧାରା । ଏମାନଙ୍କ ଜୀବନଜୀବିକା ପ୍ରକୃତି ଉପରେ ନିର୍ଭର । ଜୀବନ ସାରା ଏମାନେ  ପ୍ରକୃତି କୋଳରେ ବଢ଼ନ୍ତି। ଲଘୁ ବନଜାତ ଦ୍ରବ୍ୟ ଏମାନଙ୍କୁ ଜୀବିକା ଯୋଗାଇ ଥାଏ। ଜଙ୍ଗଲରୁ ଏମାନେ ମହୁଲ ଫୁଲ ସଂଗ୍ରହ କରି ବିକ୍ରି କରନ୍ତି । ଫୁଲ ପରେ ମହୁଲ ଗଛର ଫଳ ବା ଟୋଲ ସଂଗ୍ରହ କରି ମାଲକାନଗିରି ଜିଲ୍ଲାର ଜନଜାତି ପରିବାର ପେଟ ପୋଷୁଛନ୍ତି । ଋତୁ ଅନୁଯାୟୀ ମହିଳା ଓ ପୁରୁଷ ଜଙ୍ଗଲକୁ ଯାଇ  ଗଛରୁ ପଡ଼ିଥିବା ଟୋଲ ସଂଗ୍ରହ ସହ ପାକଳ ଟୋଲ ଗଛରୁ ତୋଳି ଆଣନ୍ତି । ପରେ ଚୋପା ଛଡ଼ାଇ ଖରାରେ ଶୁଖାଇ ବିକ୍ରି କରିବା ସହ ବଳକା ଟୋଲକୁ ଖାଇବା ତେଲ ପ୍ରସ୍ତୁତି ଲାଗି ସାଇତି ରଖନ୍ତି । 

ମାଲକାନଗିରି ଜିଲ୍ଲାରେ ଟୋଲ କିଲୋ ପିଛା ୨୫ରୁ ୩୦ ଟଙ୍କା ଦରରେ କିଣି ନେଉଛନ୍ତି ବ୍ୟବସାୟୀ । ଘରକୁ ଘର ବୁଲି ମଧ୍ୟ ଟୋଲ ବଦଳରେ ପନିପରିବା ଓ ସଉଦାପତ୍ର ନିଅନ୍ତି । ଓଡ଼ିଶା ତୁଳନାରେ ଛତିଶଗଡ଼ରେ ଟୋଲ ଦର ଅଧିକ ରହିଛି । ଛତିଶଗଡ଼ରେ ଟୋଲ କିଲୋ ୪୦ରୁ ୪୫ ଟଙ୍କା ଦରରେ ବିକ୍ରି ହେଉଛି । ଲୋକମାନେ ଛତିଶଗଡ଼ରେ ଟୋଲ ବିକ୍ରି କରିବାକୁ ଅଧିକ ପସନ୍ଦ କରୁଛନ୍ତି ।  

ଓଡ଼ିଶାରେ  ଉପଯୁକ୍ତ ବଜାର ସୁବିଧା ନଥିବା ବେଳେ କଡ଼ା ଅବକାରୀ ନୀତି ମଧ୍ୟ ବାଧା ସୃଷ୍ଟି କରୁଛି। ଓଡ଼ିଶାରେ ମହୁଲ ଫୁଲ ଓ ଟୋଲ କିଣାବିକା ଅବକାରୀ ବିଭାଗ ଦ୍ୱାରା ନିୟନ୍ତ୍ରଣ କରାଯାଏ । ଏଥିପାଇଁ ଲାଇସେନ୍ସ ବାବଦକୁ ଦେଢ଼ଲକ୍ଷରୁ ଅଧିକ ଦେବାକୁ ପଡ଼େ । ରାଜ୍ୟ ବାହାରେ ବିକିବାକୁ ୨୮ ପ୍ରତିଶତ ଟିକସ ଦେବାକୁ ପଡେ । ପରିବହନ ଲାଗି ପରମିଟ ଆବଶ୍ୟକ । କିନ୍ତୁ ଛତିଶଗଡ଼ରେ ପଞ୍ଜିକୃତ ବ୍ୟବସାୟୀ ଟୋଲ ଓ ମହୁଲକୁ କେବଳ ୨ ପ୍ରତିଶତ ଟିକସ ଦେଇ ସରକାରୀ ମଣ୍ଡିରେ ବିକ୍ରି କରିବାର ବ୍ୟବସ୍ଥା ରହିଛି । ତେଣୁ ଓଡ଼ିଶାରେ ଅବକାରୀ ନୀତି କୋହଳ କଲେ ମହୁଲ ଟୋଲ ସଂଗ୍ରହକାରୀ ଅନ୍ୟ ରାଜ୍ୟ ଉପରେ ନିର୍ଭର ନକରି ନିଜ ରାଜ୍ୟରେ ଉପକୃତ ହୋଇପାରିବେ ।