କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି । ପୋଟେରୁ ପୋଲ ନିର୍ମାଣ ପରେ ଜାତୀୟ ରାଜପଥ ଉପରେ ଯାନବାହନ ଚଳାଚଳ ସ୍ୱଭାବିକ ହୋଇଛି । ତେବେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କିନ୍ତୁ ବଢିବାରେ ଲାଗିଛି । ଦୋକାନ ବଜାର ରେ ପାଣି ମାଡି ଯିବାରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟୀକ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ବାଲିଚର ପାଲଟିଛି । ତେବେ କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି । 

Advertisment

କିଏ ଘର ଭିତରୁ କାଦୁଅ ଭରା ଆସବାବପତ୍ର ସଫା କରୁଛି, ତ ଆଉ କିଏ ଉଜୁଡି ଯାଇଥିବା ଦୋକାନ ବଜାରକୁ ପୁନର୍ବାର ସାଜାଡିବାରେ ବ୍ୟସ୍ତ ଅଛି । ସମସ୍ତଙ୍କୁ ବ୍ୟଥିତ କରିଛି ମାଲକାନଗିରି ବନ୍ୟାର ପରର ଚିତ୍ର । ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାବେଳେ ଜନଜୀବନ ସ୍ୱଭାବିକ ହେଉଛି । ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ବିଦ୍ୟୁତ ଓ ଟେଲିଫୋନ ସେବା ସ୍ୱଭାବିକ ହୋଇଛି । ପୋଟରୁ ଗାଁରେ ଗତ ଦୁଇ ଦିନ ଧରି ୮ ରୁ ୧୦ ଫୁଟ ଉଚ୍ଚ ବନ୍ୟାଜଳ ଲହଡି ଭାଙ୍ଗୁଥିବା ବେଳେ ଏ ହୋଉଛି ଆଜିକାର ଚିତ୍ର । ଜଳସ୍ତର କମିଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । କିଛି ବୁଝିବା ପୁର୍ବରୁ ରବିବାର ମଧ୍ୟ ରାତିରେ ହଠାତ ନଇ ପାଣି ମାଡି ଆସି ଥିବାରୁ ଲୋକଙ୍କ ଘର ଦ୍ୱାର ସହ ଦୋକାନ ବଜାରରେ ଜଳମଗ୍ନ ହୋଇ ପଡିଥିଲା । ଲୋକେ ନିଜ ଜୀବନ ବଂଚାଇ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଲୋକଙ୍କ ଆସବାବପତ୍ର କିନ୍ତୁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ନିକଟସ୍ଥ ଗାଁର ସାତରୁପା ସରକାର ପୋଟେରୁ ଗାଁରେ ଏକ ଫ୍ୟାନ୍ସି ଦୋକାନ କରିଥିଲେ ତେବେ ବର୍ଷା ପାଣି ସବୁ କିଛି ଛାରଖାର କରିଦେଇଛି । ଏମଭି ୪୦ ଗାଁର ଦିବ୍ୟାଙ୍ଗ ସୁଶିଲ ବିଶ୍ୱାସ ୫ ପ୍ରାଣି କୁଟୁମ୍ବ ନେଇ ଏହି କଚ୍ଚା ଘରେ ବସବାସ କରୁଥିବା ବେଳେ ବନ୍ୟା ପାଣି ତାଙ୍କ ଘର ଅଗଣା ଦେଇ ଗତି କରୁ ଥିବାରୁ ଏ ହେଉଛି ସୁଶିଲଙ୍କୁ ଘରର ଅବସ୍ଥା । 

ଗତ ଦୁଇ ଦିନର ବନ୍ୟା ଯୋଗୁ ପୋଟେରୁ ପୋଲ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମରାମତି ପରେ ଅତି ସତର୍କତାର ସହ ଗୋଟିଏ ପରେ ଗୋଟିଏ କରି ଯାନବାହାନ ଚଳାଚଳ ଆରମ୍ଭ ହୋଇଛି । ଜିଲ୍ଲାରେ ୩୨୬ ନଂ ଜାତୀୟ ରାଜପତ ଅନେକ ସ୍ଥାନରେ ଧୋଇ ଯାଇ ଥିବା ବେଳେ ଗାଁ ଗଣ୍ଡା ଓ ଘାଟି ରାସ୍ତା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମି ବାଲିଚର ପାଲଟିଥିବା ବେଳେ ମାଟି କାନ୍ଥ ଘର ବହୁ ମାତ୍ରାରେ ଭାଙ୍ଗି ରୁଜୁ ନଷ୍ଟ ହୋଇଛି । ତେବେ କ୍ଷୟକ୍ଷତିର ଆକଳନ ପରେ ସହାୟତା ପ୍ରଦାନ କରାଯିବ ବୋଲି ମାଲକାନଗିରି ଗସ୍ତ କରି ସୂଚନା ଦେଇଛନ୍ତି ସଚିବ ବିଷ୍ଣୁପଦ ସେଠୀ । ୨୦୧୮ ତୁଳନାରେ ଚଳିତ ବନ୍ୟା ସମଗ୍ର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ତେବେ ପ୍ରଶାସନିକ ସହାୟତାକୁ ଅନାଇ ବସିଛନ୍ତି ବନ୍ୟା ବିପନ୍ନ ।