କନକ ବ୍ୟୁରୋ : ଚାଷୀଙ୍କ ଅମଳ ଧାନ ସୁରୁଖୁରୁରେ କିଣା ବିକା କରିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି । ହେଲେ ଏଭଳି ସରକାରୀ ବ୍ୟବସ୍ଥା ଭିତର ଧଜିଆ ଉଡୁଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ସରକାରୀ ବିଧିବ୍ୟବସ୍ଥା ତା'ବାଟରେ ଆଉ ମଣ୍ଡି ଚାଲିଛି ମିଲରଙ୍କ ବାଟରେ । ସେଥିପାଇଁ ତ ମଣ୍ଡିରେ ପଡ଼ିରହିଛି ଲକ୍ଷଲକ୍ଷ କ୍ୱିଂଟାଲ ଧାନ । 

Advertisment

ଅନେକ ଚାଷୀ ମିଲରଙ୍କ ଜାଲରେ ପଡୁଛନ୍ତି । ମଣ୍ଡିକୁ ଆସୁଥିବା ଧାନ ଅଧାବାଟରୁ ସିଧାସଳଖ ମିଲକୁ ଚାଲିଯାଉଛି । ଚାଷୀ କ୍ଷତି ସହୁଥିବା ସମୟରେ ଦଲାଲଙ୍କ ପକେଟ୍ ଗରମ ହେଉଛି । କିଲେରେ ୨ ଟଙ୍କା ହାତପୁରା ନେଉଛନ୍ତି । ମିଲର୍ସ ଓ ଦଲାଲଙ୍କ ନୀତିରେ ଚାଲିଛି ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ଅନେକ ମଣ୍ଡି । ସରକାରୀ ନିୟମକୁ ଖାତିର ନକରି ମନଇଚ୍ଛା ମଣ୍ଡି ଚଲାଉଛନ୍ତି ମିଲର୍ସ । କେଉଁଠି ମଣ୍ଡିରୁ ୨ କିଲୋମିଟର ଦୂରରେ ଠିଆ ହୋଇ ଧାନ ଗାଡ଼ି ମିଲକୁ ଯାଉଛି । ତ ପୁଣି କେଉଁଠି ମଣ୍ଡି ଭିତରେ ଅଧା ଖାଲି ଥିବା ଗାଡ଼ିରେ ଦଲାଲଙ୍କ ଧାନ ଭର୍ତ୍ତି କରାଯାଉଛି । ଏପଟେ ଗାଡ଼ି ଆସୁନି କହି ମଣ୍ଡିରେ ଚାଷୀଙ୍କ ଅମଳ ପଡ଼ି ରହୁଛି । 

ମଣ୍ଡିରେ ଘୋର ଅବ୍ୟବସ୍ଥା ଭିତରେ ଚାଷୀଙ୍କ ପାଇଁ ଆଉ ଏକ କଣ୍ଟା ହୋଇଛି ଟାର୍ଗେଟ୍ । ମଣ୍ଡିକୁ ଆଉ ଟାର୍ଗେଟ ଆସୁନି । ତେଣୁ ଧାନ କିଣୁ ନାହାନ୍ତି ମଣ୍ଡି କର୍ତୃପକ୍ଷ । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ଧାନ କିଣା ଦାୟିତ୍ୱରେ ଥିବା ଏସଏଚଜି ସଦସ୍ୟା ଚତୁରତାର ସହ ନିଜ ପ୍ରତିକ୍ରିୟା ରଖି ଖସିଯିବାକୁ ଚେଷ୍ଟା କରିଛନ୍ତି । ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ପେଶି ହୋଇଯାଉଛି ଚାଷୀ ।