କନକ ବ୍ୟୁରୋ: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଇଭିଏମରେ ନେତାଙ୍କ ଭାଗ୍ୟ ସିଲ୍ ହୋଇଛି । କିଏ ଜିତିବ, କିଏ ହାରିବ, ତା’ର ଫଇସଲା ହେବ ନଭେମ୍ବର ୨୩ରେ । ତେବେ ରାଜ୍ୟ ନିର୍ବାଚନର ଫଳାଫଳ ଓଡ଼ିଶା ରାଜନୀତିରେ ବଡ଼ ପ୍ରଭାବ ପକାଇବ ବୋଲି କୁହାଯାଉଛି । ତେବେ ଝାଡ଼ଖଣ୍ଡ ରାଜନୀତିର ରଘୁବର ଦାସ ଏବଂ ଅଜୟ କୁମାର ହେଉଛନ୍ତି ଦୁଇ ଚର୍ଚ୍ଚିତ ଚେହେରା । ଜଣେ ମଜଭୁତ ସଂଗଠକ, ଆଉଜଣେ ଲୋକପ୍ରିୟ । ଆଉ ଏବେ ଦୁହିଁଙ୍କ ନଜର ପୂର୍ବ ଜାମସେଦପୁର ଆସନ ଉପରେ । କାହାକୁ ମିଳିବ ବିଜୟ, ତାହା ତ କିଛି ଦିନ ତରେ ସ୍ପଷ୍ଟ ହେବ । କିନ୍ତୁ ଫଳାଫଳ ଓଡ଼ିଶା ରାଜନୀତି ଉପରେ ବଡ଼ ପ୍ରଭାବ ପକାଇବ ବୋଲି କୁହାଯାଉଛି । ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ନିର୍ବାଚନୀ ମଇଦାନରେ ନଥିଲେ ବି, ତାଙ୍କ ବୋହୂ ପୂର୍ଣ୍ଣିମା ସାହୁ ଦାସ ପୂର୍ବ ଜାମସେଦପୁର ଆସନରୁ ଲଢ଼ିଛନ୍ତି। କୁହାଯାଉଛି, ବୋହୂଙ୍କ ହାରଜିତ ହିଁ, ରଘୁବର ଦାସଙ୍କ ପାଇଁ ସମ୍ମାନର କଥା ହେବ ।
ଝାଡ଼ଖଣ୍ଡ ରାଜନୀତିର ବେଶ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଜୟ କୁମାର । ରାଜନୀତିକୁ ଆସିବା ପୂର୍ବରୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ପରିଚିତ ଥିଲେ ଅଜୟ । ରାଜନୀତିରେ ମଧ୍ୟ ତାଙ୍କର ବେଶ ପ୍ରଭାବ ରହିଛି । ୨୦୧୧ରେ ଜାମସେଦପୁର ଲୋକସଭା ଆସନରୁ ସାଂସଦ ହୋଇଥିବା ବେଳେ ୨୦୧୪ରେ ପରାଜୟର ମୁହଁ ଦେଖିଥିଲେ । ତେବେ ୨୦୨୪ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଦର୍ଶନ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛି । କୁହାଯାଉଛି, ନିର୍ବାଚନ ଜିତିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦ ବଜାୟ ରଖିବେ ଅଜୟ କୁମାର । ଆଉ ହାରିଲେ ହରାଇବେ ପଦ।
ଅଜୟ କୁମାରଙ୍କ ପାଇଁ ରାଜ୍ୟ କଂଗ୍ରେସର ନେତା ଝାଡ଼ଖଣ୍ଡରେ ଜୋରଦାର ପ୍ରଚାର କରିଥିଲେ । ସେହିପରି ରାଜ୍ୟ ବିଜେପିର ଶୀର୍ଷ ନେତା ମଧ୍ୟ ରଘୁବର ଦାସଙ୍କ ବୋହୂଙ୍କ ପାଇଁ କରିଥିଲେ ଘନଘନ ପ୍ରଚାର । ନଭେମ୍ବର ୨୩ରେ ଫଳାଫଳ ଯାହା ହେଉ ନାଁ କାହିଁକି, ଓଡିଶା ରାଜନୀତି ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।