କନକ ବ୍ୟୁରୋ : ୧୯୩୬ ମସିହା ଏପ୍ରିଲ ୨୮ ତାରିଖ । ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ସିନେମା ସୀତା ବିବାହ । ଆଜି ୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ସିନେମା । ଏହିଦିନକୁ ସିନେମା ଦିବସ ଭାବେ ପାଳନ କରୁଛି ଓଡ଼ିଆ ସିନେ ଜଗତ । ହେଲେ ଓଡ଼ିଆ ସିନେଶିଳ୍ପ ଆଜି ନିଜ ସ୍ଥିତି ଖୋଜୁଛି ।
୧୯୩୬ ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନିର୍ମିତ ଏହି ସିନେମାକୁ ମନେପକାଇ ଆଜି ପାଳନ ହେଉଛି ସିନେମା ଦିବସ । ତେବେ ଆଜି ‘ସୀତା ବିବାହ’ ସିନେମାର କ୍ୟାସେଟ୍ କି ଠିକ୍ ଫଟୋ ମିଳୁନି । ଅଭିଲେଖାଗାର ନାହିଁ । ୱେବସାଇଟର ତଥ୍ୟ ମଧ୍ୟ ବିଭ୍ରାନ୍ତିକର । ସୀତା ବିବାହ ବଦଳରେ ବଙ୍ଗଳା ଚଣ୍ଡୀ ଦାସ ଫିଲ୍ମର ଚିତ୍ର ଆସୁଛି । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାଁରେ ଏକ ପୁରସ୍କାର ଛଡ଼ା ତାଙ୍କୁ ମନେ ପକାଇବା ପାଇଁ ଆଉ କିଛି ନାହିଁ । ନିଜ ଇତିହାସ ସମ୍ପର୍କରେ ନୂଆପିଢ଼ି କ’ଣ ଶିଖିବେ ଓ କେମିତି ଗର୍ବ କରିବେ ବୋଲି ସିନେ ସମୀକ୍ଷକ ପ୍ରଶ୍ନ କରିଛନ୍ତି ।
୯୦ ବର୍ଷ ହୋଇଥିଲେ ସୁଦ୍ଧା ଓଡ଼ିଆ ସିନେଶିଳ୍ପ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନୁହେଁ । ଗଦାଗଦା ସିନେମା ନିର୍ମାଣ ହେଉଛି, ହେଲେ ସ୍କ୍ରିନ୍ ସଂଖ୍ୟା ନଗଣ୍ୟ । ୧୬ ଜିଲ୍ଲାରେ ସିନେମା ହଲ୍ ନାହିଁ । ତା’ ଭିତରେ ଅନ୍ୟ ଭାଷାର ସିନେମା ଭାରି ପଡୁଛି । ଓଡ଼ିଆ ସିନେମା ନିର୍ମାଣ ବଜେଟ୍ କଥା ନ କହିବା ଭଲ । ହିନ୍ଦୀ, ତେଲୁଗୁ ଓ ତାମିଲ ଆଦି ସିନେମା ପାଇଁ କୋଟିକୋଟି ଖର୍ଚ୍ଚ ହେଉଛି । ଓଡ଼ିଆ ସିନେମା ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି । ପ୍ରଡକ୍ସନଠୁ ଅଭିନେତା ଅଭିନେତ୍ରୀ ଶହଶହ ଲୋକ କାମ କରୁଛନ୍ତି । କିନ୍ତୁ ପ୍ରାପ୍ୟ ଠିକ୍ ମିଳୁନି ।
ଓଏଫଡିସି ଥାଇ ବି ଓଡ଼ିଆ ସିନେମାକୁ ସରକାରୀ ପ୍ରୋତ୍ସାହନ ନାହିଁ । କଳିଙ୍ଗ ଷ୍ଟୁଡିଓ ପୁନଃ ନିର୍ମାଣ ପରେ ବି କାମରେ ଲାଗି ପାରୁନି । ଏଭଳି ସ୍ଥିତିରେ ଆଗକୁ ଯିବାର ରାସ୍ତା ଖୋଜୁଛି ଓଡ଼ିଆ ସିନେମା ।