କନକ ବ୍ୟୁରୋ : ସଂସଦରେ ବଜେଟ ଉପସ୍ଥାପନ କରୁଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ ଏପଟେ ଅପେକ୍ଷାରେ ଥିଲେ ସାଢେ ୪ କୋଟି ଓଡ଼ିଶାବାସୀ। ଯେହେତୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଛି ତେଣୁ ଲୋକଙ୍କ ଆଶା ମଧ୍ୟ ଦୁଇଗୁଣା ବଢିଥିଲା। ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ଓଡ଼ିଶା ପାଇଁ ୯ଟି ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେଉଁଥିରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଭଳି ଗୁରୁତ୍ବପୂର୍ଣ୍ଣ ଦାବି ରହିଥିଲା। ୧ ଘଣ୍ଟା ୧୭ ମିନିଟର ଲମ୍ବା ଭାଷଣ ସରିଗଲା। କିନ୍ତୁ ବଜେଟରେ ଓଡ଼ିଶା ପାଇଁ ସେଭଳି କିଛି ବି ସ୍ବତନ୍ତ୍ର ଘୋଷଣା କଲେନି ନିର୍ମଳା। ଅନ୍ୟପଟେ ବଜେଟ ରେସରେ ବାଜି ମାରିନେଇଛି ବିହାର। ଚଳିତବର୍ଷ ଶେଷ ଆଡକୁ ବିହାର ନିର୍ବାଚନ ଥିବାରୁ ବଜେଟରେ ସିଂହଭାଗ ମିଳିଥିବା କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିରୋଧୀ।
ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ବିହାର ମାଲେମାଲ ହୋଇଛି। ସ୍ବତନ୍ତ୍ର ଭାବେ ହଜାର ହଜାର କୋଟିର ପ୍ରକଳ୍ପ ବିହାରକୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର।
ବିହାର ଉପରେ ଅର୍ଥ ବର୍ଷା (ସ୍ଲଗ, ଭଏସ ହେବନି)
- ମାଖନା ଚାଷୀଙ୍କ ପାଇଁ ମାଖନା ବୋର୍ଡ, ମାଖନା କୃଷିକୁ ପ୍ରୋତ୍ସାହନ
- ପାଟନା ଆଇଆଇଟି ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ
- ବିହାରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫୁଡ୍ ଟେକ୍ନୋଲୋଜିର ପ୍ରତିଷ୍ଠା
- ପାଟନା ବିମାନବନ୍ଦରର ସମ୍ପ୍ରସାରଣ, ନୂଆ ଗ୍ରୀନଫିଲ୍ଡ ବିମାନବନ୍ଦର
- ମିଥିଳାଞ୍ଚଳରେ ପଶ୍ଚିମ କୋଶି କେନାଲ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ
ବଜେଟରେ ବିହାରକୁ ଫୋକସରେ ରଖାଯାଇଥିବା ବେଳେ ପୂର୍ବୋଦୟ ବିକାଶର ଗେଟୱେ ସାଜିବାକୁ ଆଶା ରଖିଥିବା ଓଡ଼ିଶା ନିରାଶ ହୋଇଛି।