କନକବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଆତଙ୍କୀ ସଂଗଠନ ସହ ଲଢେଇକୁ ବର୍ଷେ। ହମାସର ସାମରିକ ବାହିନୀ ଉପରେ ବିଜୟ ନେଇ ଘୋଷଣା କଲେ ଇସ୍ରାଏଲର ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି। ସେପଟେ ବେରୁତର ଦକ୍ଷିଣ ଭାଗରେ ଧ୍ବଂସଲୀଳା ରଚିବା ସହ ହିଜବୁଲ୍ଲାକୁ ନିଶ୍ଚିହ୍ନ କରିବାରେ ଲାଗିଛି ଇସ୍ରାଏଲ । ଲେବାନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ବୋମାମାଡ଼ ଜାରି ରହିଛି । 

Advertisment

ରବିବାର ଦକ୍ଷିଣ ବେରୁତରେ ଥିବା ୨୦ରୁ ଅଧିକ ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିବା ସହ ଗାଜାଷ୍ଟ୍ରିପରେ ଥିବା ଏକ ମସଜିଦ ଓ  ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଏୟାରଷ୍ଟ୍ରାଇକରେ ୨୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୩ଜଣ ଆହତ ହୋଇଛନ୍ତି। ଗାଜା ଭଳି ଲେବାନନରେ ମଧ୍ୟ ଇସ୍ରାଏଲର ଧ୍ବଂସଲୀଳା ରଚାଯାଉଥିବା ବେଳେ ଶତାଧିକ ଅଟ୍ଟାଳିକା ମାଟିରେ ମିଶୁଛି ଏବଂ ପ୍ରତ୍ୟେକ ଦିନ ହଜାର ହଜାର ନାଗରିକ ବିସ୍ଥାପିତ ହେବାରେ ଲାଗିଛନ୍ତି ।

ତୁରନ୍ତ ଗାଜା ଓ ଲେବାନନରେ ଯୁଦ୍ଧ ବିରତି ପାଇଁ ଅନେକ ପଶ୍ଚିମ ରାଷ୍ଟ୍ର ଅପିଲ କରୁଥିଲେ ମଧ୍ୟ ଏହାକୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ନିଜର ଆତଙ୍କୀ ସଫା ଅଭିଯାନ ଜାରି ରଖିଛି ଇସ୍ରାଏଲ ସେନା। ଦକ୍ଷିଣ ଲେବାନନରେ ଗ୍ରାଉଣ୍ଡ ଅପରେସନ କରିବା ପରଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ୪୪୦ରୁ ଅଧିକ ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରିଥିବା ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି। ମୃତକ ମାନଙ୍କ ମଧ୍ୟରେ ହିଜବୁଲ୍ଲା ଆତଙ୍କୀ ସଂଗଠନର ୩୦ଜଣ କମାଣ୍ଡର ରହିଛନ୍ତି।

ଆକ୍ରମଣ ମଧ୍ୟରେ ଇସ୍ରାଏଲ ସେନା ବେରୁତର ଦକ୍ଷିଣାଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର ପାଇଁ ପୁଣିଥରେ ଆହ୍ବାନ ଦେଇଛି। ସେପଟେ ରବିବାର ଇସ୍ରାଏଲ ପକ୍ଷରୁ ଆକ୍ରମଣ ଆଶଙ୍କାରେ ଇରାନ ନିଜର ସମସ୍ତ ବିମାନସେବାକୁ ବାତିଲ କରିଥିବା ବେଳେ ମଧ୍ୟରାତ୍ରରୁ ଏହା ପୁଣିଥରେ ସ୍ବଭାବିକ ହୋଇଥିବା ଜଣାପଡିଛି। ରକେଟ ଆକ୍ରମଣ ପରେ ଯେକୌଣସି ମୁହୂର୍ତ୍ତରେ ଇସ୍ରାଏଲ ଇରାନ ଉପରେ ବଡ଼ ଆକ୍ରମଣ କରିବାର ଆଶଙ୍କା ରହିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ନେଉଛି ଇରାନ।  

ଅକ୍ଟୋବର ୭ ଆକ୍ରମଣକୁ ବର୍ଷେ ପୁରିଥିବା ବେଳେ ଇସ୍ରାଏଲର ବେର୍ଶେବାରେ ବଡ଼ ଧରଣ ଆତଙ୍କୀ ଆକ୍ରମଣ ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ବସଷ୍ଟାଣ୍ଡରେ ଜଣେ ଆତଙ୍କୀର ଅନ୍ଧାଧୂନ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଇସ୍ରାଏଲି ନାଗରିକ ଆତହ ହୋଇଛନ୍ତି। ଏହି ଆକ୍ରମଣ ପଛରେ କେଉଁ ଆତଙ୍କୀ ସଂଗଠନର ହାତ ରହିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘଟଣା ସ୍ଥଳରେ ହିଁ ତାକୁ ନିପାତ କରାଯାଇଛି।

ବିଭିନ୍ନ ପଟରୁ ଶତ୍ରୁ ଦେଶକୁ ସାମ୍ନା କରୁଥିବା ଇସ୍ରାଏଲ ପାଇଁ ଏହି ଆତଙ୍କୀ ହମଲା ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଆଜି ହେଉଛି ଅକ୍ଟୋବର ୭ । ଇସ୍ରାଏଲ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଏହି ଦିନ । ଏହି ଦିନ ଇସ୍ରାଏଲକୁ ଶତ୍ରୁ ଆକ୍ରମଣର ଭୟ ରହିଛି ।  ଇରାନ-ଇସ୍ରାଏଲ ତିକ୍ତତା ଭିତରେ ଏବେ ଫ୍ରାନସ ସହ ଇସ୍ରାଏଲର ମତାନ୍ତର ଦେଖାଦେଇଛି ।

ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ପରାମର୍ଶ ଦେବା ପରେ ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସିଧାସଳଖ ଫ୍ରାନ୍ସକୁ ସମାଲୋଚନା କରିବା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଉ ଗୋଟିଏ ପାଦ ଆଗକୁ ଯାଇ ଲେବାନନରେ ଥିବା ଫ୍ରାନ୍ସ କମ୍ପାନୀ ଉପରେ ଆକ୍ରମଣ କରିଛି।  ଏନେଇ ଅନେକ ଅନ୍ତର୍ୟାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

ଲେବାନନ ରାଜଧାନୀ ବେରୁତ ସହରରେ ଥିବା ଫ୍ରାନ୍ସର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଟୋଟାଲଏନର୍ଜିଜ୍‌ ଗ୍ୟାସ କମ୍ପାନୀ ଉପରେ ଆଇଡିଏଫ ବୋମାମାଡ଼ କରିଛି। ଆକାଶମାର୍ଗରୁ ଏହି କମ୍ପାନୀକୁ ଟାର୍ଗେଟ କରିଛି ଆଇଡିଏଫ। ଏହା ପରେ ଗ୍ୟାସ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିନବା ସୂଚନା ମିଳିନାହିଁ।