କନକ ବ୍ୟୁରୋ: ଜନ୍ମବେଦୀ ଛାଡି ଶ୍ରୀଜୀଉ ଯେତେବେଳେ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି, ସେତେବେଳେ ଲୋକାରଣ୍ୟ ହୋଇଉଠିଛି ଶ୍ରୀକ୍ଷେତ୍ର। କିଏ କେତେ ରୂପରେ ଭକ୍ତି ନୈବେଦ୍ୟ ଜଣାଉଛନ୍ତି । କିଏ ତାଙ୍କ ପାଇଁ ଭଜନ ଗାଉଛନ୍ତି, ତ ପୁଣି କିଏ ଜଣାଣ । କୁହାଯାଏ ନାଟୁଆ କାଳିଆ ଠାକୁରଙ୍କ ନାଚ, ଗୀତରେ ଭାରି ମନ । ନୃତ୍ୟ, ସଙ୍ଗୀତ ପ୍ରିୟ ମହାପ୍ରଭୁଙ୍କ ଆଗରେ ନୃତ୍ୟ ପରିବେଷଣ କରି ନିଜକୁ କୃତାର୍ଥ କରିଛନ୍ତି ଭକ୍ତ । ଜଣେ ୭୮ ବର୍ଷିୟ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ନାଚ ଥିଲା ବେଶ ନିଆରା । ବାହୁଡ଼ା ଯାତ୍ରାରେ ନୃତ୍ୟ ପରିବେଶଣ କରି ସେ ମହାଆନନ୍ଦ ଅନୁଭବ କରନ୍ତି ବୋଲି କହିଛନ୍ତି ।
ସେହିପରି ଆଉ ଜଣେ ଭକ୍ତ ହନୁମାନଙ୍କ ବେଶରେ ବଡ଼ ଦାଣ୍ଡରେ ଗଦା ବୁଲାଇ ତାଙ୍କ ନୃତ୍ୟ ପରିବେଶଣ କରୁଥିଲେ । ସାଙ୍ଗରେ ଥିଲେ ନାରଦ ଓ କୃଷ୍ଣ ବେଶ ଧାରୀ କୁନି ଭକ୍ତ । ତୁଳସୀ ପ୍ରିୟ କାଳିଆ ଠାକୁର । ତାଙ୍କ ପାଇଁ ତୁଳସୀ ଓ ଫୁଲ ନେଇ ଭକ୍ତ ଦାସିଆବାଉରୀଙ୍କ ପୀଠରୁ ଆସିଛନ୍ତି ତୁଳସୀ ବାବା । ପ୍ରଭୁଙ୍କ ପାଖରେ ଫୁଲ ଓ ତୁଳସୀ ଲାଗି ହୋଇଗଲେ, ସେ ଅପାର ଆନନ୍ଦ ଲାଭ କରନ୍ତି ବୋଲି କହିଛନ୍ତି । ଭାବବିନୋଦିଆ କାଳିଆ ଠାକୁରଙ୍କ ଦର୍ଶନ ପାଇଁ କେବଳ ଭାରତ ନୁହେଁ ଭାରତ ବାହାରୁ ମଧ୍ୟ ଭକ୍ତ ଧାଇଁଆସିଛନ୍ତି ପୁରୀ । ଭକ୍ତି ଭାବର ଗୀତ ଗାଇ ଶରଧାବାଲିରେ ପରମ ତୃପ୍ତି ଲାଭ କରିଛନ୍ତି । ବଡଦାଣ୍ଡରେ ସଂକୀର୍ତ୍ତନ ମଣ୍ଡଳୀ ବି ନାମ ସଂକୀର୍ତ୍ତନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ବାହୁଡ଼ା ଯାତ୍ରା ଅବସରରେ ବଡ଼ଦାଣ୍ଡ ଆଜି ଭକ୍ତି ଓ ଭାବର ଦାଣ୍ଡ ପାଲଟିଯାଇଛି ।