କନକ ବ୍ୟୁରୋ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ । ଜଗତସିଂହପୁରର ଶାରଳା ପୀଠ, କଟକର ଗଡ଼ଚଣ୍ଡୀ, ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି ।
ଆଉ ଦିନ କେଇଟାରେ ଧରାବତରଣ କରିବେ ମାଆ ଦୁର୍ଗା । ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି କାମ ସହ ଆଗେଇ ଚାଲିଛି ସୁନା ଚାନ୍ଦି ମେଢ଼ ସଫେଇ କାର୍ଯ୍ୟ । ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର । କିଛି ଦିନ ତଳେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଏକମାଟିଆ କାର୍ଯ୍ୟ ସମାପନ ହୋଇଥିଲା । ଏବେ ଚାଲିଛି ଦୁଇ ମାଟିଆ କାର୍ଯ୍ୟ । ଏପଟେ ଚାନ୍ଦି ମେଢ଼ ଓ ଅଳଙ୍କାରର ସଫେଇ ବି ଚାଲିଛି । ସେହିପରି ଶେଖ୍ ବଜାରରେ ଏଥର ନୂଆ ରୂପରେ ଝଲସିବ ମାଆଙ୍କ ଆସନ । ଏଥର ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ନିର୍ମାଣ ହେଉଛି ତୋରଣ । କଟକରେ ଚଳିତ ଥର ୧୭୬ଟି ମଣ୍ଡପରେ ପୂଜା ପାଇବେ ଦେବୀ ଦୁର୍ଗା । ଚାନ୍ଦି ମେଢ଼ କ୍ଲବରେ ୩୭ଟି ମେଢ଼ ସାମିଲ ହୋଇଛି । କିଛି ପୂଜା ମଣ୍ଡପରେ ଚାନ୍ଦି ସହ ସୁନାର ମେଢ଼ ମଧ୍ୟ କରାଯାଉଛି । ଲାଇଟ୍ ଡେକୋରେସନ ଏବଂ ତୋରଣ କାମ ଲାଗି ଏନ୍ଓସି ନେବାକୁ ବାରବାଟୀ ପ୍ୟାଲେସରେ ଭିଡ଼ ଲଗାଇଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।