କନକ ବ୍ୟୁରୋ: ଆସୁଛି ଆଲୋକର ପର୍ବ ଦୀପାବଳି । ଆଉ ଏଥିପାଇଁ କୁମ୍ଭକାର ପରିବାରଙ୍କ ଆଖିରେ ନିଦ ନାହିଁ । ଆଧୁନିକ ଯୁଗ ସହ ତାଳଦେଇ ମାଟିଦୀପ ସହ ଅନ୍ୟାନ୍ୟ ମାଟି ସାମଗ୍ରୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି କୁମ୍ଭକାର ପରିବାର । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ୧୫ ପ୍ରତିଶତ ଲୋକ କୁମ୍ଭକାର ପରିବାରର ।  ନାଫରାଇ, କୁମ୍ଭାରମୂଳି, ଦେଉଳା, ସରବଣୀ, ତେଘରି, ବେଗୁନାଗଡ଼ିଆ ଓ ବାଗରୁଖି ଗାଁରେ ଅଧିକାଂଶ ଲୋକ ଏହି ବୃତ୍ତି ଉପରେ ନିର୍ଭରଶୀଳ । ଦିନକୁ ଦିନ ପ୍ଲାଷ୍ଟିକ୍‌, ଷ୍ଟିଲ ଓ ଆଲୁମିନିୟମର ଚାହିଦା ବଢୁଥିବା ବେଳେ ମାଟି ସାମଗ୍ରୀର ଆଦର କମିନି । ଭୋଗରାଇର ମାଟି ତିଆରି ସାମଗ୍ରୀ ଓଡ଼ିଶାର ଅନ୍ୟସ୍ଥାନରେ ମିଳୁଥିବା ମାଟି ସାମଗ୍ରୀ ଠାରୁ ଅଲଗା ।

Advertisment

ଅନ୍ୟ ସ୍ଥାନରେ ମିଳୁଥିବା ହାଣ୍ଡି ଟିକିଏ ଖଦଡ଼ ଓ ନାଲିରଙ୍ଗର ହୋଇଥିବାବେଳେ ଭୋଗରାଇର ସାମଗ୍ରୀ ଚିକ୍କଣ ଓ ଗାଢ କଳାରଙ୍ଗର । ଏଠାକାର ମାଟି ଚିକ୍କଣ ହୋଇଥିବାରୁ ଟେରାକୋଟା କଣ୍ଢେଇ ଗୁଡ଼ିକ ମସୃଣ ହୋଇଥାଏ। ବିଶେଷ କରି ଦୁର୍ଗାପୂଜା, କାଳୀପୂଜା, ଚନ୍ଦନେଶ୍ବର ମେଳା, ଦକ୍ଷିଣସରିଷା, ଲକ୍ଷ୍ମୀନାରୟଣ ମନ୍ଦିର, ଶଙ୍ଖାରୀ ଦୁର୍ଗାଦେବୀ ହାଟ ଓ କଖଡ଼ା ଆଦି ସ୍ଥାନରେ କାରିଗରଙ୍କ ଆସର ଜମିଥାଏ । ବର୍ଷକର ଆବଶ୍ୟକ ହେଉଥିବା ମାଟି ସଜ ଗୁଡ଼ିକ କିଣିବାକୁ ପୁରୁଷ ଓ ସ୍ତ୍ରୀ ଲୋକଙ୍କ ଭିଡ଼ ଲାଗିଥାଏ । 

ମାଟିରେ ତିଆରି ଦୀପ, କଳସ, ହାଣ୍ଡି, ସରା, ସୁରେଇ, ଫୁଲଦାନୀ, ମାଟିରେ ତିଆରି ହାତୀ ଓ ଘୋଡ଼ା ଭଳି ସାମଗ୍ରୀ ଗଢ଼ି କୁମ୍ଭକାର ପରିବାର ମେଳା ମହୋତ୍ସବରେ ବିକ୍ରି କରନ୍ତି। ଅନ୍ୟଦିନ ମାନଙ୍କରେ ଏତେଟା ରୋଜଗାର ହେଉନଥିବାରୁ ବ୍ୟବସାୟୀ ହୁଅନ୍ତୁ ଅବା କାରିଗର ସମସ୍ତେ ଦୀପାବଳିକୁ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ଦୀପାବଳିରେ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି । ବିଶେଷକରି ମାଟିରେ ତିଆରି ସାମଗ୍ରୀ ପରିବେଶ ଉପଯୋଗୀ । ସ୍ବାସ୍ଥ୍ୟପାଇଁ ମଧ୍ୟ ବେଶ ଉପକାରୀ । ତେଣୁ ମାଟିରେ ତିଆରି ସାମଗ୍ରୀ ବ୍ୟବହାର କରିବା ନିହାତି ଜରୁରି ।