କନକ ବ୍ୟୁରୋ: ଆଇପିଏଲରେ ଦେଖିବାକୁ ମିଳୁଛି କମ ବୟସ୍କ ଖେଳାଳିଙ୍କ ଜଲୱା । ଛକା ଚୌକା ବର୍ଷା କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି । ପ୍ରଥମେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ଓ ଏବେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆୟୁଷ ମହାତ୍ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ବଡ ବଡ ବୋଲରଙ୍କୁ ବି ପାଣି ପିଆଇ ଦେଉଛନ୍ତି ୧୪ ବର୍ଷ ଓ ୧୭ ବର୍ଷର ଏହି ଯୁବ ଖେଳାଳି ।
ଆଇପିଏଲ ଆରମ୍ଭରୁ ପ୍ରଥମେ ସୁଯୋଗ ମିଳିନଥିଲା ଏହି ଯୁବ ଖେଳାଳିଙ୍କୁ ହେଲେ ଯେତେବେଳେ ମିଳିଲା, ସେମାନେ ନିଜକୁ ପ୍ରମାଣିତ କରିଦେଲେ । ସେମାନେ ଦେଖାଇଦେଲେ ଯେ ଛୋଟ ପିଲା ବି କାହାଠାରୁ କମ ନୁହେଁ ।
ବୈଭବ ସୂର୍ଯ୍ୟବଂଶୀ ୧୪ ବର୍ଷ ୨୩ ଦିନରେ ଆଇପିଏଲରେ ଡେବ୍ୟୁ କରିଥିବା ସବୁଠାରୁ ଯୁବ ଖେଳାଳି । ଆଇପିଏଲ ଆରମ୍ଭ ହେବା ପରେ ବୈଭବ ଜନ୍ମ ଗ୍ରହଣ କରିଥିଲେ । ଆଇପିଏଲ ୨୦୦୭ରେ ଆରମ୍ଭ ହୋଇଥିବା ବେଳେ ସେ ୨୦୧୧ରେ ଜନ୍ମ ଗ୍ରହଣ କରିଥିଲେ । ଚଳିତ ଆଇପିଏଲ ମେଗା ଅକ୍ସନରେ ରାଜସ୍ଥାନ ତାଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ହେଲେ ଦଳ ୭ଟି ମ୍ୟାଚ ଖେଳି ସାରିଥିଲେ ବି ବୈଭବଙ୍କୁ ସୁଯୋଗ ମିଳିନଥିଲା । ହେଲେ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଦଳ ତାଙ୍କୁ ଓପନିଂ କରିବାକୁ ସୁଯୋଗ ଦେଇଥିଲା ।
ଆଇପିଏଲରେ ଡେବ୍ୟୁ କରି ସେ କମ ବୟସର ଖେଳାଳି ଭାବେ ରେକର୍ଡ ସୃଷ୍ଟି କରିଥିଲେ । ଏହାସହ ଡେବ୍ୟୁ ମ୍ୟାଚର ପ୍ରଥମ ବଲରେ ଛକା ମାରି ସେ ଆଉ ଏକ ରେକର୍ଡ ବି ନିଜ ନାଁରେ କରିଦେଇଛନ୍ତି । ରାଜସ୍ଥାନ ଏହି ମ୍ୟାଚରେ ଲକ୍ଷ୍ନୌଠାରୁ ୨ ରନରେ ପରାସ୍ତ ହୋଇଥିଲା ସତ କିନ୍ତୁ ମନ ଜିଣିଥିଲେ ବୈଭବ । କାରଣ ସେ ୨୦ ବଲରେ ୩ ଛକା, ୨ ଚୌକା ମାରି ବିସ୍ଫୋରକ ୩୪ ରନ କରିଥିଲେ ।
ସେହିପରି ଆୟୁଷ ମହାତ୍ରେଙ୍କୁ ମଧ୍ୟ ଚେନ୍ନାଇ ଆରମ୍ଭରୁ ସୁଯୋଗ ଦେଇନଥିଲା । ହେଲେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଦଳ ତାଙ୍କୁ ରାହୁଲ ତ୍ରିପାଠୀଙ୍କ ସ୍ଥାନରେ ସୁଯୋଗ ଦେଇଥିଲା । ସେ ପ୍ରଥମ ୱିକେଟରେ ବ୍ୟାଟିଂ ଆସି ଆକ୍ରାଣାତ୍ମକ ସଟ୍ ଖେଳିଥିଲେ । ସେ ୧୫ ବଲରେ ୪ ଚୌକା ଓ ୨ ଛକା ମାରି ୩୨ ରନ କରିଥିଲେ । ଆଉ ବାଉଣ୍ଡ୍ରି ପାଖରେ ଚମତ୍କାର ଫିଲ୍ଡିଂ କରି ୬ ରନ ଅଟକାଇ ଦେଇଥିଲେ । ହେଲେ ଏହି ମ୍ୟାଚରେ ଚେନ୍ନାଇ ପରାଜିତ ହୋଇଥିଲା ।
ବୈଭବ ଓ ଆୟୁଷ ଉଭୟ ଭାରତ ପାଇଁ ଅଣ୍ଡର ୧୯ ଏସିଆକପ ଖେଳି ସାରିଛନ୍ତି । ଭାରତ ପାଇଁ ଏହି ଦୁଇ ଯୁବ ବ୍ୟାଟ୍ସମ୍ୟାନ ଓପନିଂ ଖେଳୁଥିବାର ବି ନଜର ଆସିଛନ୍ତି । ଆଉ ବିସ୍ଫୋରକ ବ୍ୟାଟିଂ ବି କରନ୍ତି । ବିହାରରେ ଜନ୍ମିତ ବୈଭବ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିପକ୍ଷରେ ଏକ ଅନ ଅଫିସିଆଲ ମ୍ୟାଚରେ ଶତକ ହାସଲ କରିଥିଲେ । ୫୮ ବଲରେ ଶତକ ହାସଲ କରି ସେ ଅଣ୍ଡର ୧୯ରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ଖେଳାଳି ହୋଇଥିଲେ । ସେହିପରି ଆୟୁଷ ମହାତ୍ରେ ଆଇପିଏଲ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଖେଳିସାରିଛନ୍ତି ।