କନକ ବ୍ୟୁରୋ : ୫୦ଟଙ୍କା ପାଇଁ ମହାଭାରତ, ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇର ଆକ୍ରମଣରେ ପରିବାରର ମା, ବାପ ଓ ପୁଅ ହେଲେ ଲହୁଲୁହାଣ । ଗୁରୁତର ଅବସ୍ଥାରେ ବାପ-ମାଆ କଟକ ଏସସିବିକୁ ସ୍ଥାନାନ୍ତର, ପୁଅ କୋଶଳା ମେଡ଼ିକାଲରେ ଭର୍ତ୍ତି । ଅନୁଗୋଳ ଜରପଡା ଥାନା କୁଶିକିଳା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁତର ଆହତ ଲବଙ୍ଗ ସାହୁ, ତାଙ୍କ ସ୍ବାମୀ ଓ ପୁଅ ଲିକୁ ସାହୁ । ଆକ୍ରମଣକାରୀ ପୁତୁରା ଚିଣ୍ଟୁ ସାହୁ ଓ ତାଙ୍କ ବାପା ଭୁବନୀ ସାହୁ ବୋଲି ଜଣାପଡିଛି ।
ପୁଅ ପକେଟରୁ ୫୦ଟଙ୍କା କିଏ ଚୋରି କରିଛି ବୋଲି ଲବଙ୍ଗ ଗାଳି କରିବା ବେଳେ ଏଥିରେ ଉତକ୍ଷିପ୍ତ ହୋଇ ଭୁବନୀ ସାହୁ ସାହୁ ଓ ଚିଣ୍ଟୁ ସାହୁ ଲବଙ୍ଗଙ୍କ ସମେତ ତାଙ୍କ ସ୍ବାମୀ ଓ ପୁଅକୁ ଟାଙ୍ଗିଆ ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ୩ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଶଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ଲବଙ୍ଗ ଓ ତାଙ୍କ ସ୍ବାମୀଙ୍କୁ କଟକ ଏସସିବି ମେଡ଼ିକାଲକୁ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ବାପ-ପୁଅ ଫେରାର ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।