କନକବ୍ୟୁରୋ : ରାଜନୀତିର ଦୋ-ଛକିରେ ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ ନିର୍ମାଣର ଭାଗ୍ୟ । ନବରଙ୍ଗପୁର ଜିଲ୍ଲାରେ ଆଣ୍ଠେଇଛି ପ୍ରାୟ ୧୫୦ରୁ ଅଧିକ ଲକ୍ଷ୍ମୀ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ । ଅଧାରୁ ଅଧିକ ନିର୍ମାଣ ସରୁନି । ଅନେକ ସ୍ଥାନରେ ଠିକାଦାର କାମ କରି ପ୍ରାପ୍ୟ ପାଉନଥିବା ଅଭିଯୋଗ । କାହିଁକି କାମ ସରୁନି ତା' ଉତ୍ତର କାହା ପାଖରେ ନାହିଁ । 

Advertisment

ବଦଳିଲେ ସରକାର, ବଦଳିଗଲା ଲକ୍ଷ୍ମୀ ବସଷ୍ଟାଣ୍ଡର ଭାଗ୍ୟ । ଦୁର୍ଗମ ଗାଁଠୁ ବ୍ଲକ ଓ ବ୍ଲକଠୁ ସହର ବସ୍‌ ଯୋଗେ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ସେବା। ୨୦୨୩ ନଭେମ୍ୱର ୩୦ରୁ ନବରଙ୍ଗପୁର ଜିଲ୍ଲା ପାଇଁ ୪୫ଟି ବସ୍‌ ଯୋଗାଇ ଦିଆଯାଇଛି ।  ଆରମ୍ଭରୁ ବିବାଦରେ ଛନ୍ଦି ହୋଇପଡ଼ିଛି ଏହି ସେବା ।  କେବେ ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡର ଖର୍ଚ୍ଚକୁ ନେଇ ତ କେବେ ରଙ୍ଗ ପରିବର୍ତ୍ତନକୁ ନେଇ ।  ୬ ଲକ୍ଷ ଲେଖାଏଁ ଖର୍ଚ୍ଚରେ ଜିଲ୍ଲାରେ ୨ଶହରୁ ଅଧିକ ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବ୍ୟବସ୍ଥା ହୋଇଥିଲା। ଅନେକ ନିର୍ମାଣ ସରିଛି, କିଛି ଅଧପନ୍ତରିଆ ।  ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରି ଠିକାଦାର ବିଲ୍‌ ପାଇଁ ବ୍ଲକକୁ ଧାଇଁ ଧାଇଁ ଠିକାଦାର ନୟାନ୍ତ ହେଉଥିବା ଅଭିଯୋଗ ଆସିଛି।  

ବର୍ତ୍ତମାନ ସରକାର ଲକ୍ଷ୍ମୀ ବସ୍‌ର ରଙ୍ଗ ପରିବର୍ତ୍ତନ କରି ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ନବୀନ ସରକାରଙ୍କ  ଏକ ସଫଳ ଓ ଯୁଗାନ୍ତକାରୀ ଯୋଜନାକୁ ଜାଣିଶୁଣି ବନ୍ଦ କରିବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।  ଅନ୍ୟପଟେ ଜିଲ୍ଲାସ୍ତରୀୟ ଅଧିକାରୀ ଏବାବଦରେ ମୁହଁ ଖୋଲିବାକୁ ନାରାଜ ।
ରାଜନୈତିକ ଈର୍ଷା ପରାୟଣତା ବନ୍ଦ କରି ଠିକାଦାରଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ଜରୁରୀ । ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ଯୋଜନାର ସଫଳ ପରିଚାଳନା ନିହାତି ଆବଶ୍ୟକ ।