କନକ ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ନିକଟ ରତନପୁର ଗାଁରେ ଖେଳିଯାଇଛି ଶୋକର ଲହରି । ପରିବାର କଥା ଛାଡନ୍ତୁ କେହି ଚିନ୍ତା କରିନଥିବା ଅଘଟଣ ଘଟିଯାଇଛି । ନିଖୋଜର ୭ଦିନ ପରେ  ମୃତଦେହ ଉଦ୍ଧାର କରିଛି ପୁଲିସ । ଶୋକର ପରବେଶ ଭିତରେ ସାମ୍ନାକୁ ଆସୁଛି କେମିତି ପୁଅର ଫେରିବା ବାଟକୁ ବ୍ୟାକୁଳତାର ସହ ଅନେଇ ରହିଥିଲା ପରିବାର । ଯିଏ ଯେମିତି କହିଲା ସେମିତି କରୁଥିଲେ । ମଙ୍ଗଳ ମନାସି ଘର ଦ୍ୱାର ମୁହଁରେ ଆମ୍ୱ, ଲେମ୍ୱୁ ନାଲି କପଡ଼ାରେ ବାନ୍ଧି ଝୁଲାଇ ଥିଲେ । ଦ୍ୱାରରେ ଆମ୍ୱ ପତ୍ର ଓ ଆମ୍ୱ ଝୁଲାଇ ରଖିଲେ ପରିବାରର ମଙ୍ଗଳ ହୁଏ ଏବଂ ଲେମ୍ୱୁ ଝୁଲାଇଲେ ଖରାପଦୃଷ୍ଟି ନାଶ ହୁଏ ବୋଲି ବିଶ୍ୱାସ ରହିଛି। ସେହି ବିଶ୍ୱାସରେ ଦ୍ୱାର ମୁହଁରେ ଆମ୍ୱ ଓ ଲେମ୍ୱୁ ଝୁଲାଇଥିଲେ ।

Advertisment

ଲୋକବିଶ୍ୱାସ ଅଛି ଘରେ ନିଖୋଜ ଲୋକଙ୍କ ପୋଷାକ ରଖି ଷଠୀ ପୂଜା କଲେ ଶୀଘ୍ର ଘରୁ ପଳାଇଥିବା ଲୋକ ଫେରି ଆସନ୍ତି । ଏହି ବିଶ୍ୱାସକୁ ନେଇ ପରିବାର ଲୋକ ପୁଅ ଆଶୀର୍ବାଦର ପ୍ୟାଣ୍ଟ, ସାର୍ଟକୁ ପଥରରେ ରଖି ଷଠୀ ପୂଜା କରିଥିଲେ। ଅନ୍ୟପଟେ ଘରେ ଥିବା ଶୁଆ ପୁଅକୁ ଝୁରି ହେଉଥିଲା । ପୁଅର ନାଁ ଧରି ଶୁଆ ଡାକିଲେ ପରିବାର ଲୋକଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। ପରିବାର ଲୋକଙ୍କ ଆଶା ରହିଥିବା ପୁଅ ଆଶୀର୍ବାଦ ଘରକୁ ଫେରି ଆସିବ। ପୁଅକୁ କେହି ଅପହରଣ କରିନେଇଥିବା ସନ୍ଦେହ କେବଳ ପରିବାର ନୁହେଁ ଗାଁ ଲୋକ ମଧ୍ୟ କରୁଥିଲେ। ଗୋଟିଏପଟେ ପୁଲିସ ଟିମ ଆଶୀର୍ବାଦ ଖୋଜାଖୋଜି କରୁଥିଲା ଅନ୍ୟପଟେ ପରିବାର ଲୋକ ପୁଅ ଶୀଘ୍ର ଫେରି ଆସୁ ବୋଲି ପୂଜାପାଠ କରୁଥିଲେ, ଭଗବାନଙ୍କ ଶରଣରେ ରହିଥିଲେ । ହେଲେ ପୁଅ ଫେରିଲା ନାହିଁ । ଆସିଲା ପୁଅର ମୃତ୍ୟୁ ଖବର। ଦୁଆର ମୁହଁରୁ ଉଠିଛି ଘରର ଅଲିଅଳ ପୁଅର କୋକେଇ। ପରିବାର ଲୋକଙ୍କ କାନ୍ଦ ବୋବାଲି ଦେଖି ଗ୍ରାମବାସୀଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିଛି ।