କନକ ବ୍ୟୁରୋ : ଆଦିବାସୀ ଅଚଂଳରେ ମଦ ପିଇବା ଏକ ପରମ୍ପରା ବୋଲି ଭାବନ୍ତି । ହେଲେ ମଦ ସମ୍ପର୍କ ଦେଖେ ନାହିଁ କି ପରମ୍ପରା । ସେ ତା କାମ କରି ଚାଲେ । ଯେଉଁ ଦିନ ପର୍ୟ୍ୟନ୍ତ ମଦ କୁ ଏହି ଖଟିଖିଆ ମଣିଷ  ନିଜର କଷ୍ଟ କୁ ଲାଘବ କରିବାକୁ ପିଇ ଥାଏ ତାହା ଚଳନୀୟ, କିନ୍ତୁ ଯେଉଁ ଦିନ ମଦ ମଣିଷ କୁ ପିଇଯାଏ ତାହା ସର୍ବ ନାଶ କରିଦିଏ । ଏଭଳି ଏକ ହସ ଖୁସିର ପରିବାର  ମଦରେ ଉଜୁଡ଼ି ଗଲା ।  ଏକାକି ରହିଗଲେ ବିବାହିତା ପତ୍ନୀ ନିଜର ରୋଗିଣା ଝିଅ କୁ ଧରି  ଏବେ ଗୁମୁରି ଗୁମୁରି କାନ୍ଦୁଛି । ଆଗକୁ ଲମ୍ବା ରାସ୍ତା । କାଟିବ କିପରି, ଚିନ୍ତାରେ ରତ୍ନୀ ।

Advertisment

ଜୟପୁର ବ୍ଳକ ଠାରୁ ମାତ୍ର ୧୧ କିମି ଦୂରରେ ଥିବା ଆଦିବାସୀ ଗାଁ ସିନ୍ଧିଗାଁରେ ରୁହନ୍ତି ରତ୍ନୀ ନାୟକ । ୩ ବର୍ଷ ତଳେ ମଦ ପିଇ ସ୍ୱାମୀ ଚାଲିଗଲେ । ପରେ ପରେ ମଝିଆ ପୁଅ ଓ ବଡ଼ ପୁଅ ।  ଆଉ ଏବେ ସାନ ପୁଅ ଓ ଜ୍ୱାଇଁ । ଜଣଙ୍କ ପରେ ଜଣେ ପରିବାରର ୫ ଜଣ ଆରପାରିକୁ ଚାଲିଯିବା ପରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ବିଧବା ରତ୍ନୀ । ମଦ ଉଜାଡ଼ିଦେଇଛି ତାଙ୍କର ହସଖୁସିର ପରିବାର । ଏବେ କୁଲି ମଜୁରି କରି ଯାହା ମିଳୁଛି ସେଇଥିରେ ଚଳୁଛନ୍ତି ମାଆ ଝିଅ । ପରିବାର କହିଲେ ୨୫ ବର୍ଷର ରୋଗୀଣା ଝିଅ ଓ ବିଧବା ରତ୍ନୀ । ରୋଗିଣା ଝିଅର ଚିକିତ୍ସା କରିବା ପାଇଁ ମଧ୍ୟ ପଇସା ନାହିଁ । 

 ଦିନେ ରତ୍ନୀଙ୍କର ହସଖୁସିର ସଂସାର ଥିଲା । ବିଲବାଡ଼ିରେ କାମ କରିବା ସହ ସ୍ବାମୀ କୁଲି ମଜୁରୀ କରି କିଛି ରୋଜଗାର କରୁଥିଲେ । ଧିରେ ଧିରେ ମଦ ନିଶାରେ ଏପରି ଗ୍ରାସ କଲା ମଦ ବିନା ସେ ଆଉ କିଛି ବି ଜାଣିପାରିଲେନି । ସାହି ପଡ଼ିଶା ସମ୍ପର୍କୀୟ କହିବା ପରେ ବି ସେ କାହା କଥା ଶୁଣିଲେନାହିଁ । ମଦ କବଳରେ ପଡ଼ି ପରିବାରଟି ସର୍ବନାଶ ହୋଇଗଲା ।
 
ପରମ୍ପରା ନାଁରେ ବିକ୍ରୀ ହେଉଥିବା ମଦକୁ ନିଜର ରୋଜଗାର ବୋଲି ଭାବନ୍ତି ଆଦିବାସୀ ଅଂଚଳରେ ମଦ ବିକ୍ରି କରୁଥିବା ବ୍ୟକ୍ତି । ଲୁଚା ଛୁପାରେ ମଦ ରାନ୍ଧି ବିକ୍ରୀ କରି ପେଟ ପୋଷନ୍ତି । ମଦ ମୃତ୍ୟୁ ଘଟଣା ସାମନାକୁ ଆସିବା ପରେ ଏବେ ଅବକାରୀ ବିଭାଗ ତପ୍ତର ହୋଇ ଉଠିଛି ।