କନକ ବ୍ୟୁୁରୋ : ନିଖୋଜ ପୁଅକୁ ଝୁରୁଛି ପରିବାର । ୧୨ ବର୍ଷ ତଳେ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଛାଡ଼ି କଲିକତା ଯାଇଥିଲା ପୁଅ । ଆଜି ଯାଏଁ ଘରକୁ ଫେରିନି । ଘରର ଏକ ମାତ୍ର ପୁଅକୁ ହରାଇ ଦୁଃଖରେ ପରିବାର । ଘର କେମିତି ଚଳିବ, ଛୁଆ କେମିତି ପାଠ ପଢ଼ିବେ ସରକାରଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଛନ୍ତି ୭୫ ବର୍ଷୀୟ ବୃଦ୍ଧା ମାଆ । ଏମିତି ଏକ ଦୁଃଖଦ କାହାଣୀ ଆସିଛି ବାଲେଶ୍ୱର ଜଳେଶ୍ବର ବ୍ଲକ ଦିବାକରପୁର ଗାଁରୁ ।

Advertisment

ଝିଅକୁ ୩ ମାସ.. ଘର ଛାଡ଼ିଥିଲେ ବାପା । ସେଦିନର କଅଁଳ ଶିଶୁକନ୍ୟା ଏବେ ୧୨ ବର୍ଷର । ଦିନେ ବାପା ବୋଲି ଡାକିନି, ବାପାଙ୍କ ମୁହଁ ଦେଖିନି । ଫଟୋ ଦେଖି ବାପାଙ୍କୁ ଚିହ୍ନିଛି । କାରଣ ସେ ୩ ମାସର ଥିବା ବେଳେ ରୋଜଗାର ପାଇଁ କୋଲକାତା ଯାଇଥିବା ବାପା ଆଉ ଫେରିନାହାନ୍ତି । ସ୍ତ୍ରୀ ପାଇଁ ସ୍ୱାମୀ ସର୍ବସ୍ୱ । ଏଠି କିନ୍ତୁ ସ୍ୱାମୀ ପାଖରେ ନାହାନ୍ତି, ମାସେ କି ବର୍ଷେ ନୁହେଁ ୧୨ ବର୍ଷ ହେଲା ସିନ୍ଥିରେ ସିନ୍ଦୁର ନାଉଛନ୍ତି । ମନରେ ଥିବା ଅସରନ୍ତି କୋହକୁ ମନରେ ମାରି ଝିଅ ଓ ଶାଶୁଙ୍କ ସେବାରେ ଲାଗିଛନ୍ତି । ଜଣେ ମାଆ ପାଇଁ ପୁଅର ଅଭାବ ପୂରଣ କରିବାକୁ ଅହରହ ସଂଘର୍ଷ କରୁଛନ୍ତି ।

ଜଳେଶ୍ବର ଦିବାକାରପୁର ଗାଁର କୁନା ଜେନା । କୋଲକାତାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ୨୦୧୨ରେ ବିବାହ କରିବା ପରେ ଚାକିରି ଛାଡ଼ି ପୁରା ପରିବାର ସହ ଗାଁକୁ ଫେରିଥିଲେ । ଝିଅ ଜନ୍ମ ହେବାର ୩ମାସ ପରେ ୨୦୧୪ରେ ପୁଣି କୋଲକାତା ବାହାରି ଯାଇଥିଲେ । ବାସ ତା'ପରଠୁ ଆଉ ତାଙ୍କର ଖୋଜ ଖବର ନାହିଁ । ସ୍ତ୍ରୀ, ମାଆ ଓ ସଂପର୍କୀୟ ବହୁ ଖୋଜାଖୋଜି କରି କୌଣସି ପତ୍ତା ନପାଇ ଥାନାରେ ଅଭିଯୋଗ କରିଛନ୍ତି । ଫଟୋ ଦେଖାଇ, ମୋବାଇଲ ନମ୍ବର ଦେଇଛନ୍ତି । ହେଲେ ଆଜି ଯାଏ କୁନାଙ୍କର କୌଣସି ଖୋଜ ଖବର ନାହିଁ ।

ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ନିଖୋଜ ହେବା ପରେ ଅସହାୟ ହୋଇପଡ଼ିଛି ପୁରା ପରିବାର । ଭତ୍ତା ଟଙ୍କା ଓ ରାସନ ଚାଉଳ ବଞ୍ଚିବାର ସାହାରା । ସରକାରଙ୍କ ପକ୍ଷରୁ ଯେତିକି ଭତ୍ତା ମିଳୁଛି ସେଥିରେ ଘର ଚଳାଇବା କଷ୍ଟକର । ସାହି ପଡ଼ିଶାରୁ ମାଗିଯାଚି ଚଳିବାକୁ ପଡୁଛି