କନକବ୍ୟୁରୋ : ଦିନକୁ ଦିନ ବୃଦ୍ଧି ପାଉଥିବା ଅସନ୍ତୁଳିତ ପରିବେଶ ଲାଗି ଅସ୍ତବ୍ୟସ୍ତ ଜନଜୀବନ । ଖରାଦିନେ ଅଦିନିଆ ବର୍ଷା ତ ବର୍ଷାଦିନେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଏବେ ଚିନ୍ତାର କାରଣ । ଏତିକି ବେଳେ ପରିବେଶର ସୁରକ୍ଷା ଲାଗି ପଣ କରିଛନ୍ତି କୁନି କୁନି ଶିଶୁମାନେ। ଆଉ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଆଗେଇ ଆସିଛନ୍ତି ସ୍ବେଚ୍ଛାସେବୀ ସଂଗଠନ ।
ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି । ଜନସଂଖ୍ୟା ବୃଦ୍ଧି, କୋଠାବାଡ଼ି ନିର୍ମାଣ ଲାଗି ଜଙ୍ଗଲ ନଷ୍ଟ, ଏହାର ପ୍ରମୁଖ କାରଣ । ପରିବେଶ ସୁରକ୍ଷା ଦାୟିତ୍ବ ହାତକୁ ନେବାକୁ ପଣ କରିଛନ୍ତି ବ୍ରହ୍ମପୁର ସହର ଅନ୍ତର୍ଗତ ଚନ୍ଦନ ନଗର ବସ୍ତିର କୁନିକୁନି ପିଲାମାନେ। ଏକ ସୁସ୍ଥ ଓ ନିରାମୟ ଜୀବନ ସାଙ୍ଗକୁ ଉତ୍ତମ ପରିବେଶ ଗଠନ ପାଇଁ ପାଠ ପଢ଼ିବା ସହ ଗଛ ଲଗାଇ ତାର ଯତ୍ନ ନେଉଛନ୍ତି ପିଲାମାନେ ।
ଜଳବାୟୁ ପରିବର୍ତ୍ତନ ଲାଗି କେବଳ ସହରାଞ୍ଚଳ କି ଗ୍ରାମାଞ୍ଚଳ ଲୋକେ ଦାୟୀ ନୁହନ୍ତି । ବରଂ ସବୁ ବର୍ଗ ନିଜକୁ ଦାୟିତ୍ବବୋଧ ଭାବେ ଗ୍ରହଣ କରିବା ଆବଶ୍ୟକ । ଏଠାରେ ଶିକ୍ଷିତ ହେବା ବଦଳରେ ପରିବେଶ ସୁରକ୍ଷା ସମ୍ପର୍କରେ ସର୍ବନିମ୍ନ ଜ୍ଞାନ ଆହରଣ କରିବା ଦରକାର । ୨ବର୍ଷ ହେଲା ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ ସମର୍କରେ ଶିକ୍ଷା ଦେଇ ଆସୁଛନ୍ତି କିଛି ସ୍ବେଚ୍ଛାସେବୀ ସଂଗଠନ। ଜୀବଜଗତରେ ଗଛର ଆବଶ୍ୟକତା ଓ ସୁରକ୍ଷାକୁ ନେଇ ସଚେତନ କରୁଛି ସଂଗଠକ। ଜଳବାୟୁ ପରିବର୍ତ୍ତନ ଆଗାମୀ ସମୟରେ ଏକ ବିରାଟ ସଙ୍କଟ ସୃଷ୍ଟି କରିବାକୁ ଯାଉଥିବା ବେଳେ ଶିଶୁଙ୍କ ମନରେ ଏଭଳି ପରିବେଶ ପ୍ରୀତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ।