କନକ ବ୍ୟୁରୋ: ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। କର୍ମକ୍ଷେତ୍ରରେ ବି ଗର୍ଭବତୀଙ୍କ ଚିକିତ୍ସା, ଯତ୍ନ ନେଇ ଅନେକ ଗୁରୁତ୍ବ ଦିଆଯାଉଛି। ହେଲେ ଏହାସତ୍ତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀ ଅସହଯୋଗ କରିଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ।
- ସିଡିପିଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
- ଗର୍ଭ ଯନ୍ତ୍ରଣା ପାଉଥିଲେ କର୍ମଚାରୀ, ଛାଡିଲେନି ସିଡିପିଓ!
- ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କର୍ମଚାରୀଙ୍କୁ ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଡେରାବିଶରୁ। ଅଭିଯୋଗ ଅନୁସାରେ, ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ବୟ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗତ ଶୁକ୍ରବାର କାର୍ଯ୍ୟାଳୟରେ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ୭ ମାସର ଗର୍ଭବତୀ ଥିଲେ ବର୍ଷା। ଯେତେବେଳେ ସେ, ସିଡିପିଓ ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ, ସେ ଅନୁମତି ଦେଇ ନଥିଲେ, ଓଲଟା ଦୁର୍ବ୍ୟବହାର କରିଥିଲେ। ପରେ ଖବର ପାଇ ବର୍ଷାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ, ସେତେବେଳକୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ।
ସିଡିପିଓଙ୍କ ଏଭଳି କାର୍ଯ୍ୟ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷାଙ୍କ ପରିବାର ଲୋକେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ। ସେପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି।
ତେବେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଆଚରଣ ଯୋଗୁଁ ଆଉ ଜଣେ କର୍ମଚାରୀଙ୍କ ଏଭଳି ଅବସ୍ଥା ହେବା ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାର ସତ୍ୟତା ସାମନାକୁ ଆସୁ ବୋଲି ଦାବି ହୋଇଛି।
Follow Us