କନକ ବ୍ୟୁରୋ : ଗାଁରେ ମାତିଲା ହାତୀ । ଭାଙ୍ଗିଲା ଘର । ଖାଇଲେ ଧାନ ଚାଉଳ ସହ ଟଙ୍କା। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ। କାଲି ବିଳମ୍ବିତ ରାତିରେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ବେଣା ଗାଁରେ ୫ଟି ହାତୀ ୨ଟି ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି । ଏହାସହ ଦଶ ହଜାର ଟଙ୍କା ଖାଇ ଦେଇଛନ୍ତି । ଘର ଭିତରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ ସମୟରେ ହାତୀପଲ ଗାଁର ମୁଣ୍ଡା ସାହିରେ ପଶିଥିଲେ । ପ୍ରଥମେ ଗାଁର ରବୀନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳିଚକଟି ନଷ୍ଟ କରିବା ପରେ ଘର ଭାଙ୍ଗିଥିଲେ । ଘରେ ଥିବା ଧାନ ଚାଉଳ ବସ୍ତା ଟେକି ନେଇଥିଲେ । ଧାନ ଡୋଲି ଭିତରେ ରବିନ୍ଦ୍ର ରଖିଥିବା ଦଶ ହଜାର ଟଙ୍କାକୁ ମଧ୍ୟ ଧାନ ସହ ହାତୀପଲ ଖାଇଦେଇଥିବା ଅଭିଯୋଗ ହୋଇଛି । ସେହିଭଳି ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ହାଣ୍ଡି ଡେକଚିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଅନ୍ୟପଟେ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ମୁଣ୍ଡାସାହିରେ ଏକ ଦନ୍ତା ପଶି ଜଳଧର ମୁଣ୍ଡାଙ୍କ ଘର ଭାଙ୍ଗି ଚାଉଳ ଖାଇଦେଇଥିବା ଜଣାପଡିଛି ।