କନକ ବ୍ୟୁରୋ: ବିନା ଅନୁମତିରେ ଘରେ ପଶି ତ୍ରୁଟି ପୂର୍ଣ୍ଣ ବିଲ ପ୍ରଦାନ କରାଯାଉଛି। ରହିବାକୁ ଯାହାର ଘର ଖଣ୍ଡେ ନାହିଁ ସେମାନଙ୍କୁ ନୋଟିସରେ ଏସି, କୁଲର, ଗିଜର ଥିବା ନେଇ ଦର୍ଶାଯାଉଛି। କଟକ ମାହାଙ୍ଗାରେ ଟାଟା ପାୱାର ନାଁରେ ଏପରି ସାଂଘାତିକ ଅଭିଯୋଗ ହୋଇଛି। ତେବେ ଟାଟା ପାୱାରର ଦାଦାଗିରିକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା।
କଟକ ମାହାଙ୍ଗାରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାରର ଦାଦାଗିରି! ଗାଡ଼ିରେ ଜଣେ ମହିଳାଙ୍କ ସମେତ ୫ରୁ ୬ଜଣ ଆସୁଛନ୍ତି। କାହାକୁ କିଛି ନକହି, ଚପଲ ପିନ୍ଧି ଘରେ ପଶୁଛନ୍ତି। ନାଲି ନୋଟିସ ଧରାଇ ଚାଲି ଯାଉଛନ୍ତି।
ଗଙ୍ଗାଧର ମହାପାତ୍ର, ଦେବେନ୍ଦ୍ରନାଥ ମହାପାତ୍ର । ସାଲେପୁର ନିର୍ବାହୀ ଯନ୍ତ୍ରୀ ଅଧିନ ଅସୁରେଶ୍ବର ସେକ୍ସନର ଅନ୍ତର୍ଗତ ବିଷମପଡ଼ା ଗ୍ରାମର ଅଧିବାସୀ। ଏମାନଙ୍କୁ ନାଲି ରସିଦ ଧରାଇ ଦେଇଛି ଟାଟା ପାୱାର। ରସିଦରେ ଦର୍ଶାଯାଇଛି, ଏସି, କୁଲର, ୱାଶିଂ ମେସିନ, ଗିଜର ଓ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଯାହା ଏହି ଅଭାବୀ ପରିବାର ପାଇଁ ଦିବା ସ୍ବପ୍ନ। ଗତ ୨୨ ତାରିଖରେ ବିଷମପଡ଼ାର ୭ରୁ ୮ଟି ପରିବାରକୁ ସମାନ ନୋଟିସ ଦିଆଯାଇଛି।
ଗରିବ ଲୋକଙ୍କ ଘରେ ମନଇଛା ପଶି ହଇରାଣ କରିବା ଗୁଣ୍ଡାରାଜ ଠୁ କମ ନୁହଁ ବୋଲି କହିଛନ୍ତି କଂଗ୍ରେସ ନେତା ରମାକାନ୍ତ ବେହେରା। ସେପଟେ ତ୍ରୁଟିପୂର୍ଣ୍ଣ ରସିଦ ସମ୍ବନ୍ଧରେ ଗ୍ରାହକଙ୍କ ସହ ଯୋଗାଯୋଗ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସାଲେପୁର ନିର୍ବାହୀ ଯନ୍ତ୍ରୀ। ଯଦି ତୁରନ୍ତ ବିଦ୍ୟୁତ ବିଭାଗ ଏହି ସମସ୍ୟାର ସମାଧାନ ନକରେ ତେବେ, ଗ୍ରାମରେ ଟାଟା ପାୱାର ଗାଡ଼ିକୁ ଗାଁରେ ପୁରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ।