କନକ ବ୍ୟୁରୋ : ଗରିବ ଅସହାୟ ଲୋକଙ୍କ ମୁଣ୍ଡ ଗୁଞ୍ଜିବାକୁ ଅନେକ ଯୋଜନା କରାଯାଉଛି । ମୋ କୁଡିଆ, ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ବାରା ଘର ଯୋଗାଇ ଦିଆହେଉଛି । କିନ୍ତୁ ଆଜି ବି କିଛି ଏମିତି ପରିବାର ଅଛନ୍ତି ଯେଉଁମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ଅସହାୟ ପରିବାର ହେଉଛି ସୁବର୍ଣ୍ଣପୁରର ସମରୁ ଗୁରୁଙ୍କର । ଆଜିବି ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିନି । ଭଙ୍ଗା ଦଦରା ଘରେ ପଲିଥିନ ତଳେ ବିତୁଛି ଜୀବନ । ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଥକି ଗଲେଣି ହେଲେ କିଛି ସୁଫଳ ମିଳୁନି ।
ଅସହାୟ ଅବସ୍ଥାରେ ଭଙ୍ଗାରୁଜା ପଲିଥିନ୍ ତଳେ ବିତୁଛି ଜୀବନ । ଦିବ୍ୟାଙ୍ଗ ସ୍ତ୍ରୀ ସହିତ ଦୟନୀୟ ଜୀବନ ଜୀଉଁଛନ୍ତି ବୃଦ୍ଧ ସମରୁ ଗୁରୁ । ସୁବର୍ଣ୍ଣପୁର ଜିଲ୍ଲା କଣ୍ଟାପାଲି ଗାଁର ସମରୁ ଗୁରୁ ଓ ତାଙ୍କ ଦିବ୍ୟାଙ୍ଗ ସ୍ତ୍ରୀ ସୁରେଖା । ଏହି ବୃଦ୍ଧ ଦମ୍ପତି ଛଡା ପରିବାରରେ ଆଉ କେହି ନାହିଁ । ବର୍ଷାରେ ଝାଟି ମାଟି ଘର ଖଣ୍ଡିକ ଭାଙ୍ଗିଯାଇଛି । ଏବେ ପଲିଥିନ୍ ଖଣ୍ଡିଏ ଟାଣି ତାରି ଭିତରେ ବଞ୍ଚୁଥିବା ବେଳେ ପେଟକୁ ମୁଠାଏ ଦାନା ବି ଯୋଗାଡ କରିନପାରୁନାହନ୍ତି । ଗୋଟିଏ ଘରେ ବହୁ କଷ୍ଟରେ ରହୁଥିଲେ ବି ସରକାରୀ ଯୋଜନାରେ ଘର ଖଣ୍ଡେ ତାଙ୍କ ପାଖେ ପହଞ୍ଚିପାରୁନି । ଏନେଇ ବହୁବାର ଅନୁରୋଧ କରିଛନ୍ତି । ହେଲେ ଅନୁରୋଧ ପରେ ବି ଯେମତି ତାଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ।
ଘର ଖଣ୍ଡେ ପାଇଁ ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ଥକି ଗଲେଣି । ହେଲେ ଏଯାଏଁ ତାଙ୍କୁ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଗଲାନାହିଁ । ଏ ନେଇ ପୁଣିଥରେ ନିଜ ଦୁଃଖ ଜଣାଇଥିବା ବେଳେ ଏହି ଅସହାୟ ଦମ୍ପତିଙ୍କୁ ସାହାଯ୍ୟ ସହଯୋଗର ମିଳିଛି ପ୍ରତିଶ୍ରୁତି । ବର୍ଷା ପରେ ଘରର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି। ତୁରନ୍ତ ଏହି ବୃଦ୍ଧ ଦମ୍ପତିଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦିଆଗଲେ ସେମାନେ ଉପକୃତ ହୋଇପାରନ୍ତେ।