କନକ ବ୍ୟୁରୋ: ବହୁ ଦିନ ପରେ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଉଠିଛି । ପ୍ରଭାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପାଦ କଂଗ୍ରେସ ଭବନରେ ପଡିଛି । ଦେଢ଼ ମାସ ହେଲାଣି କଂଗ୍ରେସର ପିସିସି ସଭାପତି ଚେୟାର ଖାଲି ପଡ଼ିଛି। ଆଉ ଗତକାଲି ପ୍ରଭାରୀ ଓଡିଶା ଆସିବା ପରେ ବରିଷ୍ଠ ନେତାଙ୍କୁ ନେଇ ପ୍ରଥମ ବୈଠକ କରିଥିଲେ। ଅନ୍ଦରମହଲରୁ ମିଳିଥିବା ସୂଚନା ଅନୁସାରେ....

  • ମୁଖିଆ ବାଛିବାକୁ ପ୍ରଥମ ପ୍ରୟାସ
  • କଂଗ୍ରେସ ଭବନରେ ଚାରି ଘଣ୍ଟା ଧରି ବୈଠକ ଚାଲିଲା
  • ଦଳର ମଙ୍ଗ ଧରିବାକୁ କିଏ ଯୋଗ୍ୟ ମତାମତ ମଗାଗଲା
  • ବରିଷ୍ଠ ନେତା ୩ଟି ଲେଖାଏଁ ନାଁ ପ୍ରସ୍ତାବ ଦେବାକୁ କହିଲେ ପ୍ରଭାରୀ
  • ପ୍ରକ୍ରିୟା ଠିକ ନୁହେଁ ବୋଲି ପୂର୍ବତନ ପିସିସି ସଭାପତିମାନେ ନାଁ ଦେବାକୁ ମନାକଲେ
  • ଏହି ପ୍ରକ୍ରିୟାରେ ସଭାପତି ଚୟନରେ ସ୍ୱଚ୍ଛତା ରହିବ ନାହିଁ ବୋଲି ମତ ଦେଲେ

ସହମତି ହୋଇନପାରିବାରୁ ସ୍ଥଗିତ ରହିଲା କଂଗ୍ରେସ ସଭାପତି ଚୟନ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା। ଏଥର ପ୍ରଭାରୀ କାର୍ଯ୍ୟକାରୀ ସଭାପତି ଚୟନ ପାଇଁ ପ୍ରସ୍ତାବ ଦେଲେ। ହେଲେ ପୂର୍ବ ଅନୁଭୂତିରୁ ପ୍ରଭାରୀଙ୍କ ଏହି ପ୍ରସ୍ତାବ ମଧ୍ୟ ବାଏଁ ବାଏଁ କାଟ ଖାଇଗଲା। କାର୍ଯ୍ୟକାରୀ ସଭାପତି ଥିବା କିଛି ନେତା ପରବର୍ତ୍ତୀ ସମୟରେ ନିଜ ସଂଗଠନକୁ ସାଙ୍ଗରେ ଧରି ଅନ୍ୟ ଦଳକୁ ପଳାଇଥିବା କହିଥିଲେ ଦଳର ବରିଷ୍ଠ ନେତା ।

ଷ୍ଟିୟରିଂ କମିଟିର ୧୪ ଜଣ ସଦସ୍ୟ ଓ ନିମନ୍ତ୍ରିତ ଭାବେ ପୂର୍ବତନ ପିସିସି ସଭାପତି, ପୂର୍ବତନ ବିଧାୟକ ଦଳର ନେତା ଓ ସମସ୍ତ ବିଧାୟକ ଏହି ଚାରି ଘଣ୍ଟାର ବୈଠକରେ ଉପସ୍ଥିତ ଥିଲେ। ହେଲେ କୌଣସି ଗୋଟିଏ ନାଁରେ ମୋହର ବାଜିପାରିଲା ନାହିଁ । ସେପଟେ ପିସିସି ସଭାପତି ଦାୟିତ୍ୱ କିଏ ନେବେ ସେନେଇ ଆସନ୍ତା ମାସେ ଭିତରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପରିଚାଳନା କମିଟି ଅଧକ୍ଷ ଅଜୟ କୁମାର।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ନେତାଙ୍କ ଭିତରେ ସହମତି ହୋଇନପାରିବାରୁ ଏବେ ରାଜ୍ୟ କଂଗ୍ରେସର ଭାର କାହା କାନ୍ଧରେ ରହିବ ସେନେଇ ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛଡାଯାଇଛି। ହାଇକମାଣ୍ଡ ଯାହା ନାଁ ସ୍ଥିର କରିବେ ତାଙ୍କୁ ହିଁ ସମସ୍ତେ ନେତା ମାନିନେବେ ।