କନକ ବ୍ୟୁରୋ: ଗାଁରେ ଭଉଣୀ ଓ ମହିଳାଙ୍କର ବଢ଼ୁଛି ରୋଜଗାର। କେବଳ ରୋଜଗାର ନୁହେଁ ସମଗ୍ର ପରିବାରକୁ ଆଗକୁ ବଢାଉଛନ୍ତି ମହିଳା। ମୋଦୀଙ୍କ ବିକଶିତ ଭାରତର ଅଭିଯାନର ଏକ ଅଂଶ ଭାବେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଲକ୍ଷପତି ଦିଦି ଯୋଜନା। ରବିବାର ମହାରାଷ୍ଟ୍ରର ଜଳଗାଓଁ ଗସ୍ତରେ ଯାଇ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଉପହାର ଦେଇଛନ୍ତି। ୧୧ ଲକ୍ଷ ଦିଦିଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରିଛନ୍ତି। ୨ ହଜାର ୫୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହାଦ୍ୱାରା ୪.୩ ଲକ୍ଷ ଏସଏଚଜିର ପ୍ରାୟ ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ। ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋଟ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଛନ୍ତି। ଏହାଦ୍ବାରା ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ।

କିଏ ପାଇବେ ଯୋଜନାର ଲାଭ?
କ’ଣ ରହିଛି ସର୍ତ୍ତାବଳୀ? 
ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଗତବର୍ଷ ସରକାର ୨ ଲକ୍ଷ ଲକ୍ଷପତି ଦିଦିଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ରଖିଥିଲେ। ଚଳିତ ବର୍ଷ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି। ଏହି ଯୋଜନାର ଲାଭ ପାଇବାକୁ ହେଲେ

୧.    ଆବେଦନକାରୀ ସଂପୃକ୍ତ ରାଜ୍ୟର ବାସିନ୍ଦା ହେବା ଆବଶ୍ୟକ
୨.    ମହିଳାଙ୍କ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ
୩.    ପରିବାରର କୌଣସି ସଦସ୍ୟ ସରକାରୀ କର୍ମଚାରୀ ନଥିବେ
୪.    ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟ ହେବା ଆବଶ୍ୟକ

ଏହି ଯୋଜନାରେ ମହିଳାମାନେ ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ବ୍ୟବସାୟ ଆରମ୍ଭ କରିବା ପାଇଁ ଋଣ ମଧ୍ୟ ଦିଆଯାଏ। ଏହା ସହିତ ବୀମା କଭରେଜ୍ ମଧ୍ୟ ପ୍ରଦାନ କରାଯାଏ।