କନକ ବ୍ୟୁରୋ: ବେଆଇନ ଭାବରେ ନଦୀରୁ ପାଣି ଚୋରୀ କରୁଛି କମ୍ପାନୀ। ଝାରସୁଗୁଡ଼ାର ଅନ୍ୟତମ ଜୀବନରେଖା କୁହାଯାଉଥିବା ଇବ୍ ନଦୀ ଏବେ କମ୍ପାନୀଙ୍କ କବ୍‌ଜାରେ। ନଦୀରେ ଯେତିକି ପାଣି ଆସୁଛି ଓଡ଼ିଶା ମେଟାଲିକ୍ସ ବନ୍ଧ ବାନ୍ଧି ତାହା ଶୋଷି ନେଉଛି। ତଳମୁଣ୍ଡକୁ ଯିବା ପାଇଁ ଛୋଟ ଧାରଟିଏ ବି ଛାଡ଼ୁନି। ଫଳରେ ନଦୀ ଉପରେ ନିର୍ଭରଶୀଳ ନଈ କୂଳିଆ ଲୋକେ ପାଣି ମୁନ୍ଦାଏ ପାଇପାରୁନାହାନ୍ତି। କମ୍ପାନୀ ନଦୀରୁ ପାଣି ଚୋରୀ କରିବା ସହ ଗ୍ରାମବାସୀଙ୍କ ଅଧିକାର ଛଡ଼ାଇ ନେଉଥିବା ଅଭିଯୋଗ ହୋଇଛି।

Advertisment

ଇବ୍ ନଦୀର ତଳମୁଣ୍ଡରେ ରହିଛି ତେଲେନ୍‌ପାଲି, ଗଣ୍ଡଘୋରା, ରେମ୍‌ଜା, ଇଟାଭଟା, କୁତାବଗା, ବୁଢ଼ୀପଦର ଭଳି ଗାଁ। ଇବ ନଦୀର ପାଣିରେ ଗ୍ରାମବାସୀଙ୍କ ଶୋଷ ମେଂଟେ। ଚାଷବାସ ଠାରୁ ଆରମ୍ଭ କରି ପିଇବା ପାଣି ଆବଶ୍ୟକତା ପୂରଣ କରେ ଏହି ନଦୀ। ହେଲେ ଓଡ଼ିଶା ମେଟାଲିକ୍ସ ସେହି ପାଣି ଉପରେ ଅଧିକାର ଜାହିର କରୁଛି। ନଦୀ ଭିତରେ ଇନ୍‌ଟେକ୍ ୱେଲ୍ ଖୋଳି ପାଣି ଶୋଷି ନେଉଥିବା ଅଭିଯୋଗ ହୋଇଛି। ପମ୍ପ ସହାୟତାରେ ପାଣି ନେବା ପାଇଁ କମ୍ପାନୀ ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇଛି ନା ନାହିଁ? ତାହା ସ୍ପଷ୍ଟ କରିପାରୁନି ପ୍ରଶାସନ। ଯଦି ପ୍ରଶାସନ ଜାଣିନି, ତେବେ ପାଣି ଉଠାଇବାକୁ ଅନୁମତି ଦେଲା କିଏ? କାହା ବଳରେ ବଳିୟାନ ଓଡିଶା ମେଟାଲିକ୍ସ? ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି।

କମ୍ପାନୀର ଏଭଳି ପାଣି ଚୋରି ଅଭିଯୋଗରେ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ଆଗକୁ ଯଦି କମ୍ପାନୀ କର୍ତ୍ତୃପକ୍ଷ ପାଣି ଉଠାଇବା ବନ୍ଦ ନକରେ ତେବେ ଗ୍ରମାବାସୀ ନିଜେ ଦୃଢ ପଦକ୍ଷେପ ନେବେ ବୋଲି  ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଯଦି କମ୍ପାନୀ ବେଆଇନ ପାଣି ଉଠାଉଥାଏ ତେବେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ।

ଦୀର୍ଘ ଦିନ ଧରି ଇବ୍ ନଦୀରେ କମ୍ପାନୀ ମନମାନି କରି ପାଣି ଉଠାଉଥିବା ବେଳେ ପ୍ରଶାସନ କେମିତି ଜାଣିପାରିଲା ନାହିଁ ବୋଲି ସନ୍ଦେହ ପ୍ରକାଶ ପାଇଛି।