କନକ ବ୍ୟୁରୋ : ସରକାରଙ୍କ ଚିନ୍ତା  ବଢାଉଛି  ଛାତ୍ରଛାତ୍ରୀ ଆତ୍ମହତ୍ୟା । ତିନି ବର୍ଷରେ  ଯାଇଛି ପ୍ରାୟ ୧୭,୦୦୦ ଛାତ୍ରଛାତ୍ରୀଙ୍କ ଜୀବନ । ବଢୁଛି  କ୍ଷଣିକ ଉତ୍ତେଜନା, ହେଉଛନ୍ତି ହତାଶାର ଶିକାର । ଏଣୁ ସରକାର ଖୋଲିବେ ମନବୈଜ୍ଞାନିକ ଟ୍ରେନିଂ ସେଣ୍ଟର । ଏନେଇ ଗତ ସପ୍ତାହ ଇଲନେସ-ଟୁ-ୱେଲନେସ୍ ଫାଉଣ୍ଡେସନର ଆୟୋଜିତ ସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପାଠପଡ଼ା, ଖେଳକୁଦ ସହ ମନବିଜ୍ଞାନର ବି ଟ୍ରେନିଂ ମିଳିବ ! ଆତ୍ମହତ୍ୟା ରୋକିବା ପାଇଁସରକାର ନେବେ ବଡ଼ ପଦକ୍ଷେପ ।

Advertisment

ଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟାର ଶିକାର ହେଉଛନ୍ତି  । ଏହାର କାରଣ ବିଶେଷ ଭାବେ ପାଠପଢା, କାମଚାପ, ପାରିବାରିକ କଳହ, ପ୍ରେମ ସମ୍ପର୍କ, ନିଶା ବ୍ୟବହାର । ତା'ସହିତ ଅବିଭାବକଙ୍କ ତାଗିଦ୍ ଓ ଶିକ୍ଷକଙ୍କ ନିର୍ଯାତନା  ମଧ୍ୟ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବଢ଼ାଇ ପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ  ପୂର୍ବରୁ ସରକାର ସ୍କୁଲ ଗୁଡ଼ିକୁ “ ଦଣ୍ଡ ମୁକ୍ତ ଅଞ୍ଚଳ “ ବୋଲି ଘୋଷଣା କରିଥିଲେ । ମାତ୍ର ତାହା କେତେଦୂର କାମଦେଇଛି ଭଗବାନ ଜାଣନ୍ତି । ଆଗରୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏନେଇ ମନ୍ତବ୍ୟ ରଖିଥିଲେ , କହିଥିଲେ ଅଧିକାଂଶ ପୀଡିତ ପୀଡିତା ୧୫ରୁ ୩୦ବର୍ଷର, ଆତ୍ମହତ୍ୟା ପ୍ରବଣତାର ଶିକାର ହେଉଥିବା ୯୦ ପ୍ରତିଶତ ପ୍ରାୟତଃ କିଶୋର ବୟସର । 

ରେକର୍ଡରୁ  ଜଣାପଡ଼ିଛି ୩ବର୍ଷରେ ୫୨ ପ୍ରତିଶତ ଆତ୍ମହତ୍ୟା ବୃଦ୍ଧିପାଇଛି  । ୨୦୨୧ରେ ୫୬୪୯, ୨୦୨୨ରେ ୬୧୪୦ ଓ ୨୦୨୩ରେ ୫୯୮୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ରିପୋର୍ଟରୁ ଜଣାପଡ଼ିଛି ଦେଶରେ ମୋଟ ୧୬.୫ପ୍ରତିଶତ  ଯୁବଗୋଷ୍ଠୀ  ଆତ୍ମହତ୍ୟାର ଉଦ୍ୟମ କରୁଛନ୍ତି, ପ୍ରତି ଘଣ୍ଟାରେ ଏଥିରେ ଜଣଙ୍କର ଜୀବନ ଯାଉଥିବା ରିପୋର୍ଟ କହୁଛି । ଡବ୍ଲ୍ୟୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  କାରଣ ପାରିବାରିକ କଳହ, ଆର୍ଥିକ  ଅଭାବ,  ମାନସିକ ଚାପ, ଦୁଷ୍କର୍ମଶିକାର ବୋଲି କହିଛି । ମନସ୍ତତ୍ତ୍ୱବିତ୍ ଡା. ପ୍ରଶାନ୍ତ ମହାପାତ୍ର କହିଛନ୍ତି ସିଜୋଫ୍ରେନିଆ, ନିଶାଦ୍ରବ୍ୟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ଖରାପ କରୁଛି । ଅଭିଭାବକଙ୍କ ତୁଳନାତ୍ମକ ମନୋଭାବ ମଧ୍ୟ ମାନସିକ ସ୍ତରରେ ପ୍ରଭାବ ପକାଇଥାଏ । ଛାତ୍ରଙ୍କ ତୁଳନାରେ ଛାତ୍ରୀ ମାନେ ଅଧିକ ଆତ୍ମହତ୍ୟାର ଶିକାର ହେଉଛନ୍ତି, ଛାତ୍ରୀ ମାନେ ପିରିୟଡସ୍ ସମୟରେ ମାନସିକ ଭାରସାମ୍ୟ ହରାଇ  ଏଭଳି  ଭୟଙ୍କର ପଦକ୍ଷେପ ନେଉଛନ୍ତି । ତେଣୁ ସରକାର ସତ୍ତର୍କ ହେବା ଉଚିତ, କାରଣ ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ  ବୋଲି ମନସ୍ତତ୍ତ୍ୱବିତ୍ କହିଛନ୍ତି ।