କନକ ବ୍ୟୁରୋ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନକୁ ମିଳୁଛି ଜନ ସମର୍ଥନ। କନିଷ୍ଠ ଶିକ୍ଷକ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ଜୋର ଧରିଛି। କିଛି ଦିନ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ପରେ ମଧ୍ୟ ସରକାର ନଜର ଦେଉନାହାନ୍ତି। ବର୍ତ୍ତମାନ ଜିଲ୍ଲା ଭିତିକ ନିଯୁକ୍ତିକୁ ସମର୍ଥନ କରି ଗଣ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସ୍କୁଲକୁ ଆଜି ପିଲାମାନେ ଆସିନାହାନ୍ତି।
ପୂଜା ଛୁଟି ସରିଲା , ସ୍କୁଲ ଖୋଲିଲା ଆସିଲେ ନାହିଁ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ସ୍କୁଲ ନଯିବାକୁ କହୁଛନ୍ତି। ଖାଁ ଖାଁ ଶ୍ରେଣୀଗୃହ। ଶିକ୍ଷକ ସଠିକ୍ ସମୟରେ ଆସି ପିଲାଙ୍କୁ ଅପେକ୍ଷା କରିଛନ୍ତି। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଏଭଳି କରିଛନ୍ତି ନବରଙ୍ଗପୁର ଉମରକୋଟ ଅଭିଭାବକ। ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକଙ୍କ ବ୍ୟତୀତ ବାହାର ଜିଲ୍ଲାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଥିବା ସ୍କୁଲକୁ ଛାତ୍ରଛାତ୍ରୀ ଯାଇନଥିବା ଜଣାପଡ଼ିଛି।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନ ମଣ୍ଡଳିର ଗୋଟିଏ ସ୍କୁଲ ନୁହେଁ ଅନେକ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଦିବାସୀ ଅଧୁଷିତ ଜିଲ୍ଲାରେ ଅନ୍ୟ ଜିଲ୍ଲାର ଶିକ୍ଷକ ପାଠପଢ଼ାଇଲେ ପିଲାମାନେ ଭଲଭାବରେ ବୁଝି ପାରୁନାହାନ୍ତି। ଜିଲ୍ଲାର ସାକ୍ଷରତାହାର କମିବାରେ ଲାଗିଛି ବୋଲି କହିଛନ୍ତି ଅଭିଭାବକ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ। ଅନ୍ୟପଟେ ସ୍କୁଲକୁ ପିଲା ନଆସିବା ଘଟଣା ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲା ଯଦି ପାଠ ପଢ଼ି ନିଜ ଅଞ୍ଚଳରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ଚାକିରୀ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ। ତେବେ କାହଁକି ଶିକ୍ଷା ଗ୍ରହଣ କରିବେ ବୋଲି ପ୍ରଶ୍ନ କରିଛନ୍ତି।
Follow Us