କନକ ବ୍ୟୁରୋ : ନବରଙ୍ଗପୁରରେ ତେଜିବାରେ ଲାଗିଛି ଶିକ୍ଷକ ନିଯୁକ୍ତି ନିଆଁ । ଗାଁ ଗାଁରେ ପଡୁଛି ଗଣ୍ଡାଡାକ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ନଯିବାକୁ ବାରଣ କରାଯାଉଛି । ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଏଭଳି ଡାକ ପକାଉଛନ୍ତି ଜଣେ ଆଦିବାସୀ । ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନକୁ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ସମର୍ଥନ । କାର୍ଯ୍ୟାନୁଷ୍ଠାନ କମିଟିର ଆହ୍ବାନ ପରେ ସ୍କୁଲ ଆସିଲେନି ଛାତ୍ରଛାତ୍ରୀ । ସ୍କୁଲ ଖୋଲିଥିଲେ ବି ଖାଲି ପଡ଼ିଛି ଚେୟାର, ଶ୍ରେଣୀରେ ନାହାନ୍ତି ପିଲା । ଏ ଖବର ହେଉଛି ନବରଙ୍ଗପୁର ଜିଲ୍ଲାର । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନ ମଣ୍ଡଳିରୁ ଏହି ଖବର ଆସିଛି ।

Advertisment

ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ଆଞ୍ଚଳିକ ଭାଷା ଛଡ଼ା ଅନ୍ୟ ଭାଷା ବୁଝିବା କଷ୍ଟକର । ଅନ୍ୟପଟେ ଅନ୍ୟ ଜିଲ୍ଲାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଇ ପାରିବା ମଧ୍ୟ ସମ୍ଭବ ନୁହେଁ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ପଡ଼ିବ ବୋଲି ଅଭିଯୋଗ କରିଛି କାର୍ଯ୍ୟାନୁଷ୍ଠାନ କମିଟି । ଗତ ୪ ତାରିଖରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଆଜି ଯାଏ ଏହି ଦାବି ନେଇ ସରକାର ଚୁପ୍ ଥିବାରୁ ଏହାକୁ ନିନ୍ଦା କରିଛି କାର୍ଯ୍ୟାନୁଷ୍ଠାନ କମିଟି  ।

ଆଗକୁ ଆନ୍ଦୋଳନ ତିବ୍ର କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହାଛଡ଼ା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ମଧ୍ୟ ଦାବି ହୋଇଛି । ନବରଙ୍ଗପୁରରେ ନିଯୁକ୍ତି ପାଇଛନ୍ତି ୮୬୦ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରୁ ୬୦୯ ଜଣ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କୁ ୨୧ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଯଦି ଛାତ୍ରଛାତ୍ରୀ ସ୍କୁଲ ଯିବେନି ତେବେ ଶିକ୍ଷକମାନେ କାହାକୁ ପାଠ ପଢ଼ାଇବେ ବୋଲି ପ୍ରଶ୍ନ ଉଠିଛି ।