କନକ ବ୍ୟୁରୋ : ତୁଟିବ ମହାନଦୀ ବିବାଦ। ଆପୋସ ସମାଧାନ କରିବେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ । ଶନିବାର ଲୋକସେବା ଭବନରେ ଏନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଛି ଆଲୋଚନା । କୋର୍ଟକୁ ବାଦ ଦେଇ ଟ୍ରିପିଲ ଇଞ୍ଜିନ୍ ସରକାର ସମାଧାନ ପାଇଁ କାର୍ଯ୍ୟ କରିବେ । ଏଥିପାଇଁ ଖୁବଶୀଘ୍ର ସଚିବ ସ୍ତରୀୟ ଆଲୋଚନା ହେବ । ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ବୈଠକରେ ମହାନଦୀ ପ୍ରସଙ୍ଗ  ଉଠିଥିଲା । ଉଭୟ ରାଜ୍ୟ ଆପୋସ ସମାଧାନ ପାଇଁ ରାଜି ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ  ସୂଚନା ମିଳିଛି । ମହାନଦୀକୁ ନେଇ ଓଡିଶା-ଛତିଶଗଡ ମଧ୍ୟରେ  ଦୀର୍ଘବର୍ଷ ଧରି ବିବାଦ ଦେଖାଦେଇଛି । ଛତିଶଗଡ ସରକାର ଉପରମୁଣ୍ଡରେ ବ୍ୟାରେଜ କରିବା ଫଳରେ ଓଡିଶାରେ ମହାନଦୀ ଶୁଖିଲା ପଡିଛି ।  ମହାନଦୀ ପ୍ରସଙ୍ଗ ରାଜ୍ୟରେ ରାଜନୈତିକ ପ୍ରସଙ୍ଗ ବି ପାଲଟିଛି । ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କିନ୍ତୁ ବିବାଦର ସମାଧାନ ହୋଇପାରିନାହିଁ  ।  ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ବି କିଛି ସମାଧାନ ବାହାରିପାରିନାହିଁ । ଏବେ ମୁଖ୍ୟମନ୍ତ୍ରୀ ବିବାଦର ସମାଧାନ ହେବ ବୋଲି କହିବା ପରେ ନୂଆ ଆଶାର ସଂଚାର ହୋଇଛି ।