କନକ ବ୍ୟୁରୋ : ଏଣିକେ ଆପଣଙ୍କୁ ଆଗକୁ କେଉଁ ରୋଗ ହେବାକୁ ଯାଉଛି, କେଉଁ ରୋଗ ହେବାର ସମ୍ଭାବନା ରହିଛି ତାହା ଆଗୁଆ ଜାଣିପାରିବେ ଲୋକେ । କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ, ମନରେ ବି ଅନେକ ପ୍ରଶ୍ନ ସୃଷ୍ଟି କରୁଥିବ, କିନ୍ତୁ କଥାଟି ଏକଦମ୍ ବାସ୍ତବ । ଏପରି ଏକ କିଟ୍ ତିଆରି ହୋଇଛି ଯେଉଁଥିରେ ଛେପ ଟେଷ୍ଟ କରି ମମିଷକୁ କେଉଁ ରୋଗ ହେବ ତାହା ଲୋକେ ଜାଣିପାରିବେ । 

Advertisment

ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧୀନ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ପୁଣି ଏକ ଗବେଷଣା ସଫଳ ହୋଇଛି । ଏଣିକି ବ୍ୟକ୍ତିର ଛେପରୁ ଭବିଷ୍ୟତରେ ତାଙ୍କୁ ହେବାକୁ ଥ‌ିବା ରୋଗ ବିଷୟରେ ଜଣାପଡ଼ିବ। ଏନେଇ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍ ୱିଣ୍ଡ ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି । ଏଥିରୁ ଲୋକେ ଆଗକୁ ରୋଗ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି ଆଶା କରାଯାଉଛି ।

ଏହି କିଟ୍ ଦ୍ୱାରା ଦିନେ କି ଦୁଇ ଦିନ ମଧ୍ୟରେ ହେବାକୁ ଥିବା ରୋଗର ସୂଚନା ମିଳିବ ତା ନୁହେଁ । ଉଦ୍ଭାବନ ହୋଇଥିବା କିଟ୍‌ରୁ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ କେଉଁ ମାରାତ୍ମକ ରୋଗ ହେବ କି ନାହିଁ ତାହା ଆଗୁଆ ଜଣାପଡ଼ିବ। କିଟ୍‌ରେ ଜଣେ ବ୍ୟକ୍ତିଙ୍କ ଛେପ ସଂଗ୍ରହ କରାଯିବ । ଏହାକୁ ପରୀକ୍ଷା ପାଇଁ ମୁମ୍ବାଇସ୍ଥିତ ୱିଣ୍ଡ୍ ଡିଏନ୍ଏ ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଲ୍ୟାବ୍‌କୁ ପଠାଯିବ । ସେଠାରେ ପରୀକ୍ଷା ପରେ ଜଣାପଡ଼ିବ ସମ୍ପୃକ୍ତ ବ୍ୟକ୍ତିଙ୍କ କେଉଁ ରୋଗ ହେବାର ସମ୍ଭାବନା ରହିଛି । ଖାସକରି କର୍କଟ, ମଧୁମେହ, ଯକୃତ, ହୃଦ୍‌ରୋଗ ଏବଂ ଆର୍ଥାରାଇଟିସ୍ ଭଳି ରୋଗ ହେବ କି ନାହିଁ ତାହା ଜଣାପଡ଼ିବ ଏବଂ ପ୍ରତିକାର କରାଯାଇପାରିବ ।  

ଏହି କିଟ୍ ପ୍ରସ୍ତୁତି ପାଇଁ ଗତ ୨୦୨୯-୨୦ରୁ ଗବେଷଣା ଆରମ୍ଭ କରାଯାଇଥିଲା । ଷ୍ଟାର୍ଟଅପ୍ ସହିତ ଯୋଡ଼ି ହେବା ପରେ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକଙ୍କ ଡିଏନ୍‌ଏ ସଂଗ୍ରହ କରାଯାଇଛି । ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଲ୍ୟାବ୍‌ରେ କେବଳ ଛେପ ସଂଗ୍ରହ କରାଯିବ ଏବଂ ଏହାକୁ ପରୀକ୍ଷା ପାଇଁ ମୁମ୍ବାଇ ସ୍ଥିତ ଲ୍ୟାବ୍‌କୁ ପଠାଯିବ । ଆଗକୁ ଏହି ପରୀକ୍ଷା ସମ୍ବଲପୁର ବିଶ୍ଵବିଦ୍ୟାଳୟରେ କିପରି ହେବ ଯୋଜନା କରାଯାଉଛି । ପରୀକ୍ଷା ପାଇଁ କିଟ୍ ମାଗଣାରେ ଦିଆଯାଉଥିବା ବେଳେ ପରୀକ୍ଷା ଖର୍ଚ୍ଚ ୮ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ପରୀକ୍ଷା ରିପୋର୍ଟ ଆସିବାକୁ ଅତି କମ୍‌ରେ ଏକମାସ ସମୟ ଲାଗୁଛି । ଚିକିତ୍ସା ବିଜ୍ଞାନରେ ଏହା ଏକ ବଡ଼ ଉପଲବ୍ଧି  ବୋଲି କୁହାଯାଇପାରିବ।