କନକ ବ୍ୟୁରୋ : ସ୍ଥାନୀୟ ବାଲିକୁଦା ଉତ୍ତମାପୁରସ୍ଥିତ ଓଡ଼ିଶାର ଅନ୍ୟତମ ନର୍ସିଂ ଶିକ୍ଷାନୁଷ୍ଠାନ ସମୂହ ଧନେଶ୍ୱର ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନରେ ଆନ୍ତର୍ଜାତିକ ନର୍ସିଂ ଦିବସ ଓ ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ୨୦୭ତମ ଜନ୍ମ ଦିବସ ଅବସରରେ ଆୟୋଜିତ ଏହି ଉତ୍ସବକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ନର୍ସିଂ ଛାତ୍ର ଛାତ୍ରୀମାନଙ୍କୁ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ସହ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ସମାଜ ସେବା କ୍ଷେତ୍ରରେ ଧନେଶ୍ୱର ଗ୍ରୁପର ଭୂମିକାକୁ ବିଧାୟକ ଶ୍ରୀ ସେଠୀ ବେଶ୍ ପ୍ରଶଂସା କରିଥିଲେ । ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ଖରାଦିନରେ ଜଳଛତ୍ର ଏବଂ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରାସନ ବଣ୍ଟନ ଇତ୍ୟାଦି କାର୍ଯ୍ୟ ମାଧ୍ୟମରେ ସାମାଜିକ ଦାୟିତ୍ୱ ସମ୍ପନ୍ନ କରିଆସୁଥିବା ଧନେଶ୍ୱର ଗ୍ରୁପକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏଚ୍ ସି ଜି ପଣ୍ଡା କ୍ୟାନସର୍ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ସ୍ମିତା ପାଢ଼ୀ ଯୋଗଦେଇ ବିଶ୍ୱ ନର୍ସିଂ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ଯୁବ ଶିଳ୍ପପତି ମିଶାଲ ସ୍ୱାଇଁ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବାରଙ୍ଗର ରାଜଯୋଗ ଶିକ୍ଷୟିତ୍ରୀ ବି.କେ ଅରୁଣା ଓ କିସ୍ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋରଞ୍ଜନ ବେହୁରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାମାନଙ୍କ ଅବଦାନ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ୫୬ ନଂ ୱାର୍ଡ଼ର ବିଜେପି ପ୍ରମୁଖ ସତ୍ୟରଞ୍ଜନ ଦାସ ଓ ସମାଜସେବୀ ପ୍ରଦୀପ କୁମାର ମିଶ୍ର ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।
ସରକାରୀ ପଲିଟେକନିକ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଇଂ ଦୁର୍ଗାଚରଣ ବେହେରା ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ଧନେଶ୍ୱର ଗ୍ରୁପ୍ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସଂଗ୍ରାମ କେଶରୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମରଣିକା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ସୁଜାତା ବିଶ୍ୱାଳ ଓ ଅଧ୍ୟକ୍ଷା ପ୍ରମିଳା କୁମାରୀ ନାୟକ ଉତ୍ସବକୁ ପରିଚାଳନା କରିଥିବାବେଳେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଆ ଭାଷାର ସୁରକ୍ଷା ତଥା ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ ନିମନ୍ତେ ସାରା ଓଡ଼ିଶାରେ ୨୮ ହଜାର ‘ଛବିଳ ମଧୁ ବର୍ଣ୍ଣବୋଧ' ବଣ୍ଟନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ଯୁବ ଶିକ୍ଷାବିତ୍ ପ୍ରମୋଦ କୁମାର ବେହେରାଙ୍କୁ ଏହି ଅବସରରେ ଧନେଶ୍ୱର ଗ୍ରୁପ୍ ପକ୍ଷରୁ ଉତ୍ତରୀୟ ଏବଂ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ସୁଶ୍ରୀ ପାୟଲ ବିଶ୍ୱାଳ, ସାଇ ତିତିକ୍ଷା ଓ ସ୍ୱିକୃତୀ ମହାନ୍ତି । ଶିକ୍ଷୟିତ୍ରୀ ଅଭିଲିପ୍ସା ଶୁଭଦର୍ଶିନୀ, ଅମ୍ରିତା ପଟ୍ଟନାୟକ, ମଧୁସ୍ମିତା ଦାଶ, ଗାୟତ୍ରୀ ଦାଶ, ଅଭିପ୍ସା ଖୁଣ୍ଟିଆ, ଇତିଶ୍ରୀ ସାହୁ, ସୁଷମା ନାୟକ, ଅନାମିକା ମହନ୍ତ, ପୌଶାଳୀ ଚକ୍ରବର୍ତ୍ତୀ, ଶର୍ମିଳା ପୋଦ୍ଦାର, ପାୟଲ ବିଶ୍ୱାଳଙ୍କ ସମେତ ସଂଗୀତା ବରାଳ, ସ୍ମୃତିରେଖା ମହାନ୍ତି, ମୋନାଲିସା ମହାନ୍ତି, ଫକୀର ସାହୁ, ଆର୍ଯ୍ୟ ଜେନା, ନିରାକାର ପଲେଇ, ଶିବ ପ୍ରସାଦ ବେହେରା ପ୍ରମୁଖ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।