ଜରିପାଲ ତଳେ ବିତୁଛି ଜୀବନ ; ବିଦ୍ୟାଧରପୁର ବସ୍ତିବାସିନ୍ଦାଙ୍କ କରୁଣ ସ୍ଥିତି

ଭଙ୍ଗା ଦଦରା ଘରେ କଟୁଛି ଦିନରାତି । ଦୟନୀୟ ଅବସ୍ଥାରେ କଟକ ବଣ ବିଦ୍ୟାଧରପୁର ବସ୍ତିର  ୧୩୦ ପରିବାର । ଆବାସ ଯୋଜନା ପାଲଟିଛି ସାତ ସପନ ।

Slum dwellers

Slum dwellers Photograph: (KanakNews)

କନକ ବ୍ୟୁରୋ: କଟକ ବିଦ୍ୟାଧରପୁର ବସ୍ତିବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ । ଜରିପାଲ ଟାଙ୍ଗି ୧୩୦ ପରିବାର ରହୁଛନ୍ତି । ଆବାସ ଯୋଜନାରେ ବାରମ୍ବାର ଆବେଦନ କରି ଲୋକ ଥକି ଗଲେଣି । ସମସ୍ତେ କହୁଛନ୍ତି, ଶୀଘ୍ର ସମସ୍ୟାର ସମାଧାନ ହେବ   କିନ୍ତୁ ପର ମୁହୂର୍ତ୍ତରେ ଭୁଲିଯାଉଛନ୍ତି ।

ଭଙ୍ଗା ଦଦରା ଘର,  ଅଧା କାନ୍ଥ ମାଟିରେ ମିଶି ଗଲାଣି । ଚାଳ ନଇଁ ତଳେ ଲାଗିଲାଣି । ଉପରେ ଜରିପାଲ ଟଣା ହୋଇଛି । ଦୁଲକାଏ ପବନ ଓ ଅସରାଏ ବର୍ଷାରେ କେତେବେଳେ ମାଟିରେ ମିଶିଯିବ । ଏ ସ୍ଥିତି କଟକ ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ବଣ ବିଦ୍ୟାଧରପୁର ବସ୍ତିର । ଏଠାରେ ୧୩୦ରୁ ଅଧିକ ପରିବାର ରହୁଛନ୍ତି । ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ଅନ୍ୟ କେଉଁ ଯୋଜନାରେ ଘର ଖଣ୍ଡିଏ ମିଳିଲେ ଦୁଃଖ ଦୂର ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। 

ଘର କଥା ଛାଡ଼ନ୍ତୁ, ବସ୍ତିରେ ଗୋଟିଏ ଶୌଚାଳୟ ବି ନାହିଁ । ଅଧିକାଂଶ ବସ୍ତିରେ ସିଏମ୍‌ସି ପକ୍ଷରୁ ଶୌଚାଳୟ କରାଯାଇଛି ।  କିନ୍ତୁ ଏ ବସ୍ତିରେ କରାଯାଇନି । ସମସ୍ତଙ୍କ ଘରକୁ ପାଣି ପାଇପ୍ ସଂଯୋଗ  ହୋଇଥିଲେ ବି ନିୟମିତ ପାଣି ଆସୁନାହିଁ । ଏପରିକି ବସ୍ତିକୁ ଅଳିଆ ନେବାକୁ ସିଏମ୍‌ସିର ଅଳିଆ ଉଠା ଗାଡ଼ି ବି ଆସୁନାହିଁ । ଏନେଇ ମେୟର ସୁବାସ ସିଂହ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ବସ୍ତିଗୁଡ଼ିକର ବିକାଶ କାମ ଠିକ୍ ଚାଲୁଥିଲା । ସରକାର ପରିବର୍ତ୍ତନ ପରେ କାମ ବନ୍ଦ ଅଛି ।  ନିର୍ଦ୍ଦେଶ ଆସିବା ପରେ ସିଏମସି କାମ କରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe